ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ବିଧିବଦ୍ଧ ଭାବେ ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ବିକ୍ରାନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୃଦ୍ଧି ପାଇଛି ଭାରତୀୟ ନୌସେନାର ଶକ୍ତି । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତ ଜାହାଜ ଭାରତୀୟ ନୌସେନାରେ ବିଧିବଦ୍ଧ ଭାବରେ ସାମିଲ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଏହାକୁ ନୌସେନାରେ ସାମିଲ କରିଛନ୍ତି। ଏହା ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ। ଏହି ଜାହାଜ ନୌସେନାର ଶକ୍ତି ଦ୍ୱିଗୁଣିତ କରିବ। କୋଚିନ୍ ସିପିୟାର୍ଡରେ ନିର୍ମିତ ଏହି ବିମାନ ପରିବହନକାରୀ ଜାହାଜ ନିର୍ମାଣ ପାଇଁ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ଘଣ୍ଟାପ୍ରତି ବେଗ ୫୨ କିମି ବେଗରେ ଗତି କରିପାରିବ। ଦୀର୍ଘ ଏକ ବର୍ଷ ଧରି ସମୁଦ୍ର ମଧ୍ୟରେ ଟ୍ରାଏଲ କରାଯିବା ପରେ ଏହାକୁ ଆଜି ନୌସେନାରେ ସାମିଲ କରାଯାଇଛି।

ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡ଼ା ୬୨ ମିଟର। ଆଇଏନଏସ୍‌ ବିକ୍ରମାଦିତ୍ୟ ପରେ ଏହା ଭାରତରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।ପ୍ରାଥମିକ ଅବସ୍ଥାରେ ମିଗ୍‌ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ। ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ। ଆଇଏନଏସ୍‌ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି। ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ।

ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର କିମି ଦୂରତା ଅତିକ୍ରମ କରିପାରିବ। ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି। ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି। ଏହି ଆଇଏନଏସ୍‌ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍‌ ଉନ୍ମୋଚନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ, କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।

Related Posts