ଡ଼ିସେମ୍ବର ୧୩ରେ ବିଲକିସ୍‌ ବାନୋଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ବିଲକିସ୍‌ ବାନୋଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ଡ଼ିସେମ୍ବର ୧୩ ତାରିଖରେ ସର୍ବୋଚ୍ଚ ଅଦାଲତରେ ତାଙ୍କ ଆବେଦନର ଶୁଣାଣି ହେବ। ତେବେ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଗୁଜରାଟ ସରକାର ଜେଲରୁ ଖଲାସ କରିଥିଲେ। ଏହା ବିରୋଧରେ ବିଲ୍‌କିସ୍‌ ବାନୋ ସୁପ୍ରିମକୋର୍ଟରେ ରିଟ ପିଟିସନ କରିଥିଲେ।

ମଙ୍ଗଳବାର ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ। ନଭେମ୍ବର ୩୦ରେ ବିଲକିସଙ୍କ ପକ୍ଷରୁ ଆଇନଜୀବୀ ଶୋଭା ଗୁପ୍ତା ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ ମାମଲାର ଶୁଣାଣି ପାଇଁ ଆବେଦନ ଦାଖଲ କରିଥିଲେ।

ଆବେଦନରେ ବିଲକିସ କହିଛନ୍ତି ଯେ, ସମସ୍ତ ୧୧ ଦୋଷୀଙ୍କୁ ଆଗୁଆ ଖଲାସ କରାଯିବା ସମ୍ପର୍କିତ ଫାଇଲ ସେ ଗୁଜରାଟ ସରକାରଙ୍କୁ ମାଗିଥିଲେ। ହେଲେ ବାରମ୍ବାର ଆବେଦନ ସତ୍ତ୍ୱେ ସରକାର କୌଣସି ପ୍ରକାରର ପଦକ୍ଷେପ ନେଇ ନାହାନ୍ତି। ସେ ଘଟଣାର ପୀଡ଼ିତା ହୋଇଥିଲେ ମଧ୍ୟ ୧୧ ଦୋଷୀଙ୍କୁ ଛଡ଼ା ଯିବା ସମ୍ପର୍କରେ ତାଙ୍କୁ କୌଣସି ପ୍ରକାରର ସୂଚନା ଦିଆଯାଇ ନଥିଲା। ଆଇନକୁ ଉଲ୍ଲଙ୍ଘନ କରି କ୍ଷମା ନୀତିକୁ କାର୍ଯ୍ୟକାରୀ କରାଯାଇଥିବା ସେ ଆବେଦନରେ କହିଛନ୍ତି।

Related Posts