ଆଫଗାନିସ୍ତାନର ସ୍ୱାଧୀନତା ଦିବସ ରାଲିରେ ଆଖିବୁଜା ଗୁଳି ଚଳାଇଲା ତାଲିବାନ; ଅନେକ ଲୋକଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ)  ଭୁବନେଶ୍ୱର: ତାଲିବାନୀଙ୍କର   ଆଉ ଏକ  ବର୍ବରତା ସାମ୍ନାକୁ ଆସିଲା । ତେବେ ଆଫଗାନିସ୍ତାନର ଅସଦାବାଦ ସହରରେ ଏକ ସ୍ୱାଧୀନତା ଦିବସ ରାଲିରେ ତାଲିବାନ ସଂଗ୍ରାମୀମାନେ ଜାତୀୟ ପତାକା ଉତ୍ତୋଳନ କରୁଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ସମାନ ବିରୋଧରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏହା ହେଉଛି ପ୍ରଥମ ପ୍ରମୁଖ ବିରୋଧ।  

ଏହି ପ୍ରତିବାଦରେ ଆଫଗାନିସ୍ତାନର ଜାତୀୟ ପତାକା ଉତ୍ତୋଳନ କରୁଥିବାବେଳେ ତାଲିବାନର ଧଳା ପତାକା ଛିଣ୍ଡାଯାଇଥିଲା। ପୂର୍ବ କୁନାର ପ୍ରଦେଶର ବାସିନ୍ଦା ମହମ୍ମଦ ସଲିମ କହିଛନ୍ତି ଯେ ଆସାଦବାଦରେ ଗୁଳି ବିନିମୟରେ କିମ୍ବା ଦଳାଚକଟାରେ ଲୋକଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ  ଶହ ଶହ ଆଫଗାନୀ  ନିଜ ଦେଶର ଜାତୀୟ ପତାକା ଧରି  ରାସ୍ତାକୁ ବାହାରିଥିଲେ । ଏହା ପରେ ତାଲିବାନ ଆଖିବୁଜା ଗୁଳି ଚଳାଇଥିଲା । ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏବଂ ଅନେକ ଲୋକ ଜୀବନ ବଞ୍ଚାଇ ଏଣେତେଣେ ଦୌଡି ପଳାଇଥିଲେ । ତେବେ ଏଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।  

ଅନ୍ୟପଟେ ଏନେଇ ତାଲିବାନ ପକ୍ଷରୁ କୌଣସି  ପ୍ରତିକ୍ରିୟା  ସାମ୍ନାକୁ ଆସି ନାହିଁ । ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ଆଫଗାନିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଅପରିପକ୍ଷେ ତାଲିବାନ ବିରୋଧରେ ରାଲି କରିବାକୁ ଚେଷ୍ଟା କରୁଥିବା ଏହି ବିରୋଧକୁ  ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସମର୍ଥନ କରିଥିଲେ। ଏନେଇ ସେ ଟ୍ୱିଟରରେ କହିଛନ୍ତି ଯେଉଁମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ଏହିପରି ଭାବରେ ଦେଶର ସମ୍ମାନ ପାଇଁ ଛିଡା ହୋଇଛନ୍ତି ସେମାନଙ୍କୁ ନମସ୍କାର।

Related Posts