(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତାଲିବାନ ଦ୍ୱାରା ଆଫଗାନିସ୍ତାନର ଦଖଲକୁ ଭାରତର ସ୍ୱାଧୀନତା ସହ ତୁଳନା କରି ଅଡୁଆରେ ପଡିଥିଲେ ସମାଜର୍ବାଦୀ ପାର୍ଟିର ସମ୍ବଲ ସାଂସଦ ଡକ୍ଟର ଶାଫିକ୍ ରହମାନ ବୁର୍କ । ତେବେ ବର୍ତ୍ତମାନ ତାଙ୍କ ପୁଅ ମଧ୍ୟ ତାଲିବାନ ପଟେ ଢଳୁଥିବାର ଦେଖିବା ପାଇଁ ମିଳିଛି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସାଂସଦଙ୍କ ପୁଅ ମୈଳାନା ମାଲୁକର ରେହମାନ ବୁର୍କ କହିଛନ୍ତି ଯେ ଗତ ୨୦ ବର୍ଷ ଧରି ତାଲିବାନ ସୁପର ପାୱାର ଆମେରିକା ଏବଂ ଜାପାନ ସହ ଲଢୁଥିଲା । ଏହା ପୂର୍ବରୁ ଆଫଗାନିସ୍ତାନ ସରକାର ସହ ଲଢୁଥିଲା ।
ଏପରିକି ତାଲିବାନ କାହା ସହ ଯୁଦ୍ଧ କରିବାକୁ ଯାଇ ନାହିଁ । କେବଳ ତାଲିବାନକୁ ହିଁ ଅନ୍ୟମାନେ ଆକ୍ରମଣ କରିଛନ୍ତି । ଏଥିରେ ତାଲିବାନର କୌଣସି ଦୋଷ ନାହିଁ । ତାଲିବାନ ଆମ ଦେଶ ସହିତ ଅଛି । ସେଥିପାଇଁ ଆମେ ତାଲିବାନକୁ ଅଭିନନ୍ଦନ ଜଣାଉଛୁ। ଏ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏବଂ ଉଭୟ ବାପା ଓ ପୁଅକୁ କଡା ସମାଲୋଚନା କରାଯାଉଥିବାର ଦେଖିବା ପାଇଁ ମିଳିଛି । କାହିଁକି ନା ଏହା ପୂର୍ବରୁ ତାଙ୍କ ବାପା ଡକ୍ଟର ଶାଫିକୁର ରହମାନ ବୁର୍କ ତାଲିବାନର ଆଫଗାନିସ୍ତାନ ଦଖଲକୁ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଯୋଡିଥିଲେ ।
ଏହା ସହ ଭାରତରେ ଯେପରି ବୟସ୍କଙ୍କଠାରୁ ଶିଶୁ ସ୍ୱାଧୀନତା ପାଇଁ ଲଢିଥିଲେ । ସେହିପରି ତାଲିବାନରେ ମଧ୍ୟ ସମସ୍ତେ ନିଜ ସ୍ୱାଧୀନତା ପାଇଁ ଲଢୁଛନ୍ତି ବୋଲି ସେ କହିଥିଲେ । ଯେତେବେଳେ ଆମ ଦେଶ ବ୍ରିଟିଶ ଦଖଲରେ ଥିଲା, ସେତେବେଳେ ସମଗ୍ର ଦେଶ ସ୍ୱାଧୀନତା ପାଇଁ ଲଢୁଥିଲା । ସେଠାକାର ଲୋକମାନେ ମଧ୍ୟ ମୁକ୍ତ ହେବାକୁ ଚାହାଁନ୍ତି। ତେଣୁ ସେମାନେ ଯାହା କରିଛନ୍ତି ତାହା ଠିକ ବୋଲି କହିଥିଲେ । ଏହା ପରେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା ।