ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଜ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ରାଜଭବନର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲାଗିଛି। ରାଜଭବନ ପରିସରରୁ ଲକ୍ଷାଧିକ ଟଙ୍କାର ଚନ୍ଦନଗଛ ଚୋରି ହୋଇଯାଇଛି। ତେବେ କେତେ ସଂଖ୍ୟକ ଚନ୍ଦନଗଛ ଚୋରି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବରେ ଥାନାରେ ଏତଲା ଦିଆଯାଇଛି। ଏହାପରେ କ୍ୟାପିଟାଲ୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ମଙ୍ଗଳବାର ଦିଆଯାଇଥିବା ଏତଲାକୁ ୪୮ ଘଣ୍ଟା ପୂରିଥିଲେ ମଧ୍ୟ ପୁଲିସ ଚୋରଙ୍କ ପାଖରେ ପହଞ୍ଚି ପାରି ନାହିଁ। କେବଳ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ବସିଯାଇଛି।

ସୂଚନା ଅନୁସାରେ, ରାଜଭବନ ପରିସରରେ ଏକ ହରିଣ ପାର୍କ ରହିଛି। ଶହ ଶହ ହରିଣ ଏଠାରେ ମୁକ୍ତ ବିଚରଣ କରୁଛନ୍ତି। ଏହି ପାର୍କକୁ ଲାଗି ଚନ୍ଦନ ଗଛ ସମେତ ବିଭିନ୍ନ କିସମର ଶହ ଶହ ଗଛ ରହିଛି। ବିନାନୁମତି‌ରେ ରାଜଭବନକୁ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ସୁଉଚ୍ଚ ପାଚେରି ରାଜଭବନକୁ ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। ମୁଖ୍ୟ ଫାଟକରେ ୨୪ ଘଣ୍ଟିଆ‌ ସୁରକ୍ଷା କର୍ମୀ ନିୟୋଜିତ ହେବା ସହ ସ୍ବତନ୍ତ୍ର ପୁଲିସ ଅଫିସର ମଧ୍ୟ ସୁରକ୍ଷା ଦାୟିତ୍ବ ନେଇଛନ୍ତି। ଏ ସବୁ ଭିତରେ ଚନ୍ଦନ ଗଛ କାଟି ଗଣ୍ଡିକୁ ବାହାରକୁ ନେବା ଏକ ପ୍ରକାର ଅସମ୍ଭବ କାମ ହୋଇଥିଲେ ମଧ୍ୟ ଦୁର୍ବୃତ୍ତ ଏହି କାମରେ ସଫଳ ହୋଇଛି।

ତେବେ ଏ ନେଇ କ୍ୟାପିଟାଲ ଥାନା ପୁଲିସ କହିଛି ଯେ, ଏକାଧିକ ଚନ୍ଦନ ଗଛ ଚୋରି ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ମିଛ। ବରଂ ଗୋଟିଏ ଗଛ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆମେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଚୋରକୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। କେତେକ ସନ୍ଦିଗ୍ଧଙ୍କ ଉପରେ ମଧ୍ୟ ନଜର ରଖିଛୁ। ଖୁବ୍‌ଶୀଘ୍ର ଆମେ ଚୋରକୁ ଧରିବା ସହ କାଠ ଜବତ କରିବୁ ବୋଲି ପୁଲିସ କହିଛି।