କରୋନା ପାଇଁ ଏଥର ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ ପରୀକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ। ଆଜି ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୟୁଜି/ପିଜି ପରୀକ୍ଷା ଅନଲାଇନରେ ହେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । କୁଳପତିମାନଙ୍କ ମତାମତ ପରେ ଏନେଇ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ସେ କହିଛନ୍ତି ଯେ, ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ଫାଇନାଲ ପରୀକ୍ଷା ହେବ। ପରୀକ୍ଷା କେବେ ହେବ ସେ ସମ୍ପର୍କରେ ସଂପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱୟଂ ଶାସିତ କଲେଜ ପରୀକ୍ଷା ତାରିଖ ସ୍ଥିର କରିବେ। ସେହିଭଳି ଅନ୍‌ଲାଇନ୍‌ରେ କେମିତି ପରୀକ୍ଷା ହେବ, ତାହା ମଧ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସ୍ଥିର କରିବେ। ତେବେ ଯେଉଁ ପିଲାମାନଙ୍କର ବ୍ୟାକ୍ ପେପର ଥାଏ ସେମାନେ ମଧ୍ୟ ଅନଲାଇନରେ ପରୀକ୍ଷା ଦେବେ । ଛାତ୍ରଛାତ୍ରୀ ମାନେ ନିଜ ଘରେ ରହି ପରୀକ୍ଷା ଦେବେ ଯଦି ସୁବିଧା ନଥାଏ ତେବେ ନିକଟସ୍ଥ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏହି ନିଷ୍ପତ୍ତି କେବଳ ୟୁଜି/ପିଜି ଫାଇନାଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ୟୁଜି/ପିଜି ପରୀକ୍ଷା ଫଳ ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରକାଶ ପାଇବ । ତେବେ ଯୁକ୍ତ ତିନି ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Posts