ୟୁଟ୍ୟୁବ୍‌ରୁ ଶିଖୁଥିଲେ ଥ୍ରୋ, ୭ ହଜାର ଟଙ୍କାର ଶସ୍ତା ଜାଭେଲିନରେ ନେଇଥିଲେ ଟ୍ରେନିଂ, ଏବେ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଶନିବାର ୭ ଅଗଷ୍ଟ ୨୦୨୧ ଏହି ତାରିଖ, ଭାରତର କ୍ରୀଡା ଇତିହାସରେ ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା। ଆଉ ଏହି ଐତିହାସିକ ରେକର୍ଡ ହାସଲ କରିଛନ୍ତି ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ସାରା ଦେଶକୁ ଗର୍ବିତ କରିଥିବା ଏହି ଖିଲାଡୀଙ୍କୁ ସମଗ୍ର ଦେଶ ବାସୀ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଙ୍ଗକୁ ସାଧାରଣ ଜନତା ସମସ୍ତେ ତାଙ୍କର ଏହି ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି। ନୀରଜ ଚୋପ୍ରା ଭାରତର ପ୍ରଥମ ଆଥଲେଟ୍  ଯିଏ ଆଥଲେଟିକ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତାଇବାର ରେକର୍ଡ଼ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ୮୬.୬୫ ମିଟର ଦୂର ଜାଭେଲିନ ଫିଙ୍ଗି ନିଜ ଗ୍ରୁପରେ ଶୀର୍ଷରେ ରହିଥିଲେ। ଫାଇନାଲ୍‌ରେ ପୁଣି ଥରେ ସଫଳତାକୁ ଦୋହରାଇଥିଲେ। ଏବେ ସ୍ଵର୍ଣ୍ଣ ଜିତି ସେ ଆଇକନ୍ ପାଲଟିଯାଇଛନ୍ତି । ସେ ମେଡାଲ ଜିତିବା ପରେ ଦିବଂଗତ ଆଥଲେଟ୍ ମିଲଖା ସିଂଙ୍କୁ ତାଙ୍କ ପଦକ ସମର୍ପିତ କରିଥିଲେ। ତେବେ ସମସ୍ତ ଆଥଲେଟ୍‌ଙ୍କ ପରି ନୀରଜ ମଧ୍ୟ ଅଲିମ୍ପିକ୍ସରେ ପଦକ ଜିତିବା ପାଇଁ କଠିନ ପରିସ୍ଥିତିର ସାମ୍ନା କରିଥିଲେ। 

ନୀରଜଙ୍କ ପ୍ରେରଣାଦାୟୀ କାହାଣୀ :- 

ନୀରଜ ଚୋପ୍ରାଙ୍କ ସଫଳତାର କାହାଣୀ ଓଜନ କମାଇବାରୁ ଆରମ୍ଭ ହୋଇଥିଲା। ୧୦-୧୧ ବର୍ଷରେ ନୀରଜଙ୍କ ଓଜନ ବହୁତ ଅଧିକ ଥିଲା। ତାଙ୍କ ବାପା ଓ କକା ଓଜନ କମାଇବା ପାଇଁ ନୀରଜଙ୍କୁ ପାନିପତର ଶିବାଜୀ ଷ୍ଟାଡିୟମ ପଠାଇଥିଲେ। ସେଠାରେ ତାଙ୍କୁ ଅନେକ ଖେଳ ଖେଳିବାକୁ ପଡିଥିଲା। ନୀରଜ ଚୋପ୍ରାଙ୍କ ଓଜନ ଅଧିକ ଥିବାରୁ ସେ ନା ସେ ଦୌଡି ପାରୁନଥିଲେ । କିନ୍ତୁ ହାଇ ଜମ୍ପ ମାରିବାରେ ସେ କୁଶଳୀ ଥିଲେ। ଦିନେ ନୀରଜ ସାଥୀଙ୍କ ସହ ବୁଲି ଷ୍ଟାଡିୟମରେ କିଛି ସିନିୟର ଖେଳାଳିଙ୍କୁ ଜାଭେଲିନ ଫିଙ୍ଗୁଥିବା ଦେଖିଥିଲେ। ସେହି ଦିନ ମଜାଳିଆ ଭାବେ ସେ ଜାଭେଲିନ ଉଠାଇଥିଲେ ଏବଂ ପୂରା ଶକ୍ତି ଖଟାଇ ଫିଙ୍ଗିଥିଲେ। ନୀରଜଙ୍କ ଜାଭେଲିନ ଥ୍ରୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୧୧ ବର୍ଷ ବୟସରେ ନୀରଜ ଜାଭେଲିନକୁ ୨୫ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଫିଙ୍ଗି ପାରିଥିଲେ। ସେହି ଦିନ ସମସ୍ତେ ଜାଣି ପାରିଥିଲେ ଯେ, ନୀରଜ ଚୋପ୍ରା ଏହି ଖେଳ ପାଇଁ ହିଁ ତିଆରି ହୋଇଛନ୍ତି। ନିଜେ ନୀରଜ ଚୋପ୍ରା ଏହି ଖେଳକୁ ଏତେ ଭଲ ପାଇ ବସିଲେ ଯେ, ପ୍ରତିଦିନ ୭-୮ ଘଣ୍ଟା ଜାଭେଲିନ ଫିଙ୍ଗା ଅଭ୍ୟାସ କରିଥିଲେ।

ଗରିବ ଚାଷୀ ପରିବାରରେ ଜନ୍ମ  

ନୀରଜ ଚୋପ୍ରା ଗରିବ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ସେତେଟା ସୁଦୃଢ଼ ନଥିଲା। ତାଙ୍କର ଯୌଥ ପରିବାର ଥିଲା , ପରିବାରରେ ୧୭ ଜଣ ସଦସ୍ୟ ଥିଲେ। ତାଙ୍କ ପରିବାର ୭ ହଜାର ଟଙ୍କିଆ ଜାଭେଲିନ ବହୁ କଷ୍ଟରେ କିଣି ଦେଇଥିଲେ। ଏମିତିରେ ସେହି ସମୟରେ ଜାଭେଲିନ ଫିଙ୍ଗାରେ ଜାଭେଲିନର ମୂଲ୍ୟ ଦେଢ ଲକ୍ଷ ଟଙ୍କା ଥିଲା। ନୀରଜଙ୍କ ହାତରେ ଶସ୍ତା ଜାଭେଲିନ ଥିଲେ ମଧ୍ୟ ଏହା ତାଙ୍କର ଉତ୍ସାହ କମି ନଥିଲା। ଏହା ପରେ ନୀରଜ ଅଭ୍ୟାସ୍ ଆରମ୍ଭ କରି ଦେଇଥିଲେ। 

ୟୁଟ୍ୟୁବ୍‌ ଥିଲା କୋଚ୍ 

ଖେଳାଳୀ ପାଇଁ କୋଚ୍ ବା ପ୍ରଶିକ୍ଷକ ନିହାତି ଜରୁରୀ। କିନ୍ତୁ ନୀରଜ ଚୋପ୍ରାଙ୍କ କୋଚ୍ ନଥିଲେ। ତେଣୁ ସେ ୟୁଟ୍ୟୁବ୍ ଭିଡିଓକୁ ନିଜର କୋଚ୍ କରି ଦେଇଥିଲେ। ସେଥିରୁ ସେ ଜାଭେଲିନ କେମିତି ଫିଙ୍ଗା ଯାଏ ତାର ପ୍ରଶିକ୍ଷଣ ନେଇଥିଲେ। ସେ ପ୍ରତିଦିନ ଭିଡିଓ ଦେଖୁଥିଲେ ଏବଂ ପଡିଆରେ ଏହାକୁ ଅଭ୍ୟାସ କରୁଥିଲେ। ନୀରଜ ଯମୁନାନଗରରେ ଟ୍ରେନିଂ ଆରମ୍ଭ କରି ଦେଇଥିଲେ। ଏଠାରେ ହିଁ ତାଙ୍କ କ୍ୟାରିୟରରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା।

ସଫଳତା

ନୀରଜ ୨୦୧୩ ୱାର୍ଲ୍ଡ ଯୁବ ଚମ୍ପିଆନଶିପରେ ଅଂଶଗ୍ରହଣ କରିଥିଲେ। ୟୁକ୍ରେନରେ ଆୟୋଜିତ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା। ସେ ୧୯ମ ସ୍ଥାନରେ ରହିଥିଲେ। ୨ ବର୍ଷ ପରେ ଉହାନରେ ଅନୁଷ୍ଠିତ ଏସିଆ ଚାମ୍ପିଅନଶିପରେ ୭୦.୫୦ ମିଟର ଫିଙ୍ଗି ନବମ ସ୍ଥାନ ହାସଲ କରିଥିଲେ। ୨୦୧୬ରେ ଦକ୍ଷିଣ ଏସୀୟ କ୍ରୀଡାରେ ୮୨.୨୩ ମିଟର ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେହି ବର୍ଷ ନୀରଜ ବିଶ୍ଵ ଜୁନିୟର ଚାମ୍ପିଅନଶିପରେ ୮୬.୪୮ ମିଟର ଦୂର ଜାଭେଲିନ ଥ୍ରୋ କରି ବିଶ୍ଵ ରେକର୍ଡ କରିଥିଲେ। ସେହିପରି ୨୦୧୭ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୀରଜ ଚୋପ୍ରା ୮୬.୪୭ ମିଟର ଫିଙ୍ଗି ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିଥିଲେ ଏବଂ ୨୦୧୮ରେ ଏସୀୟ କ୍ରୀଡାରେ ୮୮.୦୬ ମିଟର ଜାଭେଲିନ ଫିଙ୍ଗି ପୁଣି ଥରେ ସ୍ଵର୍ଣ୍ଣ ଜିତି ଥିଲେ। ଏବେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। 

Related Posts