କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଟଙ୍କା ଏକଜୁଟ କଲେ ଗ୍ରାମବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଶାସକ ଠାରୁ ବିରୋଧୀ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଭୋଟ ପାଇଁ ଲୋକଙ୍କ ପାଖକୁ ମଧ୍ୟ ଯାଉଛନ୍ତି । ସାଧାରଣତଃ ନିର୍ବାଚନ ପହଞ୍ଚିଲେ ନେତାମାନେ ଲୋକମାନଙ୍କ ଟଙ୍କା ଦେଉଥିବାର କଥା ସାମ୍ନାକୁ ଆସିଥାଏ । ହେଲେ ଏଥର ଏହାର ବିପରୀତ ଘଟଣା ଘଟିଛି । ଲୋକମାନେ ଟଙ୍କା ଉଠାଇ ପ୍ରାର୍ଥୀଙ୍କ ଦେଇଥିବାର ଖବର ସାମ୍ନାକୁ ଆସିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ତେବେ ବୀରମହାରାଜପୁର ବ୍ଲକ୍ ଜୋନ୍-୨ର ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ରାଜଗୋପାଲ ପାଣିଗ୍ରାହୀ। ଆଜି ସେ ନିର୍ବାଚନ ପ୍ରଚାର କରିବା ପାଇଁ ବୁଠିପଦର ଗାଁକୁ ଯାଇଥିଲେ। ଗାଁ ଲୋକେ ତାଙ୍କ ଆଗରେ ଏକ ପ୍ରସ୍ତାବ ରଖିଥିଲେ। ଗ୍ରାମଦେବୀଙ୍କ ମନ୍ଦିର ମରାମତି କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଶ୍ରୀ ପାଣିଗ୍ରାହୀ ଅସହାୟତା ପ୍ରକାଶ କରିଥିଲେ।

ଆଉ କହିଥିଲେ, ମନ୍ଦିର ମରାମତି ପାଇଁ ଟଙ୍କା କେଉଁଠୁ ପାଇବି? ମୋ ପାଖରେ ଟଙ୍କା ନାହିଁ। ଦଳ ମଧ୍ୟ ମୋତେ ଟଙ୍କା ଦେଉନାହିଁ। ମୁଁ କେବଳ ନିର୍ବାଚନ ଲଢ଼ୁଛି। ଯଦି ଇଚ୍ଛା ଅଛି ଆପଣମାନେ ମୋତେ ଭୋଟ୍ ଦିଅନ୍ତୁ, ନହେଲେ ଭୋଟ୍ ନଦେବେ ବୋଲି ଶ୍ରୀ ପାଣିଗ୍ରାହୀ ଗାଁ ଲୋକଙ୍କୁ କହିଥିଲେ। କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କଠାରୁ ଏପରି କଥା ଶୁଣିବା ପରେ ଭାବପ୍ରବଣ ହୋଇପଡ଼ିଥିଲେ ଗାଁ ଲୋକେ। ଆଉ ତା’ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ଏଥିପାଇଁ ଗାଁ ଦାଣ୍ଡରେ ଗୋଟିଏ ଗାମୁଛା ବିଛା ଯାଇଥିଲା। ଗାଁର ଯିଏ ଯାହା ପାରିଲା ଆର୍ଥିକ ସହାୟତା ସେହି ଗାମୁଛାରେ ପକାଇଲା। ଗାଁର ପ୍ରାୟତଃ ସବୁ ଲୋକ ସହାୟତା ଦେଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ଗାଁ ଗାଁରେ ନେତାମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହେଉଥିବା ବେଳେ ଏଠି କିନ୍ତୁ ଓଲଟା ଚିତ୍ର ଆସିଛି। ଗାଁ ଲୋକମାନେ ଟଙ୍କା ଆଦାୟ କରି ନେତାଙ୍କୁ ଦେଉଥିବା ଘଟଣା ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Related Posts