ସମଗ୍ର ବିଶ୍ୱ ଦିଲ୍ଲୀ ମଡେଲ ବିଷୟରେ ଜାଣିବାକୁ ଚାହୁଁଛି; ତେଣୁ ସିଙ୍ଗାପୁର ଯିବାକୁ ଯଥାଶୀଘ୍ର ମୋତେ ଅନୁମତି ଦିଅନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି କହିଲେ କେଜ୍ରିୱାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମଗ୍ର ବିଶ୍ୱ ଦିଲ୍ଲୀ ମଡେଲ ବିଷୟରେ ଜାଣିବାକୁ ଚାହୁଁଛି । ତେଣୁ ସିଙ୍ଗାପୁର ଯିବାକୁ ଯଥାଶୀଘ୍ର ମୋତେ ଅନୁମତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି । ଏହା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସିଙ୍ଗାପୁର ଯିବାକୁ ଅନୁମତି ନଦେବାକୁ ଭୁଲ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ସିଙ୍ଗାପୁର ସରକାର ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀରେ ଦିଲ୍ଲୀ ମଡେଲକୁ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରିଛନ୍ତି ଏବଂ ଦିଲ୍ଲୀ ମଡେଲକୁ ବିଶ୍ବର ବହୁ ବଡ ନେତାଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ଆଜି ସମଗ୍ର ବିଶ୍ୱ ଦିଲ୍ଲୀ ମଡେଲ ବିଷୟରେ ଜାଣିବାକୁ ଚାହୁଁଛି। ଏହି ନିମନ୍ତ୍ରଣ ଦେଶ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ। ଜଣେ ମୁଖ୍ୟମନ୍ତ୍ରୀକୁ ଏଭଳି ଗୁରୁତ୍ୱପୂର୍ଣ୍ଣ ମଞ୍ଚକୁ ଯିବା ପାଇଁ ରୋକିବା ଦେଶର ସ୍ୱାର୍ଥ ବିରୁଦ୍ଧ ଅଟେ। ଯଥାଶୀଘ୍ର ମୋତେ ଅନୁମତି ଦିଅନ୍ତୁ ଯାହା ଦ୍ବାରା ମୁଁ ଏହି ଯାତ୍ରା ସହିତ ଦେଶର ନାଁକୁ ଆଗକୁ ନେଇପାରିବି। ସେପଟେ ପ୍ରୋଟୋକଲ୍ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀଙ୍କୁ ସରକାରୀ ବିଦେଶ ଯାତ୍ରା ପାଇଁ ଗୃହ ମନ୍ତ୍ରାଳୟର ଅନୁମତି ନେବାକୁ ପଡେ ଏବଂ ଉପରାଜ୍ୟପାଳଙ୍କ କାର‌୍ୟ୍ୟାଳୟ ଜରିଆରେ ଅନୁମୋଦନ ପାଇଁ ଫାଇଲ ଗୃହ ମନ୍ତ୍ରାଳୟକୁ ପଠାଯାଏ।

ଜୁନରେ ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗ୍ରହଣ କରିଥିଲେ। ଏହା ପରେ ବିଦେଶ ଯାତ୍ରା ନେଇ ମଞ୍ଜୁରୀ ପାଇଁ ଆପ୍ ସରକାର ଉପରାଜ୍ୟପାଳଙ୍କ ନିକଟକୁ ଫାଇଲ ପଠାଇଥିଲେ ବି ଏପର‌୍ୟ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ଅନ୍ୟପଟେ ଅନୁମତି ମିଳିବାରେ ବିଳମ୍ବ ହେଉଥିବାରୁ ୨୦୧୯ଭଳି ତାଙ୍କୁ ଅନୁମତି ମିଳିବନି ବୋଲି ଚିନ୍ତାରେ ପଡ଼ିଛନ୍ତି କେଜ୍ରିୱାଲା। ୨୦୧୯ରେ ଅରବିନ୍ଦ କେଜ୍ରିୱାଲଙ୍କୁ ପରିବେଶ ସମସ୍ୟା ପ୍ରସଙ୍ଗରେ କହିବା ପାଇଁ ବିଦେଶ ଯିବାର ଥିଲା। କିନ୍ତୁ ଏହି ସମ୍ମିଳନୀ ମେୟର ସ୍ତରର, ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବା ଠିକ୍ ନୁହେଁ ବୋଲି କହି କେନ୍ଦ୍ର ସରକାର କେଜ୍ରିୱାଲଙ୍କୁ ରାଜନୈତିକ ମଞ୍ଜୁର ଦେଇନଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts