
ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଥମିବାର ନାଁ ନେଉନାହିଁ । ଋଷ ସେନା ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରୀ ରଖିଛନ୍ତି। ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧିନକୁ ନେବାକୁ ଲାଗିଛନ୍ତି । ଏବେ ଋଷ ର ସେନା ନଜରରେ ରାଜଧାନୀ କିବ ରହିଛି । କିବ ଦଖଲ କରିବାକୁ ଋଷ ସେନା ମିସାଇଲ ମାଡ ତ ପୁଣି କେତେବେଳେ ବନ୍ଧୁକ ମୁନରେ କିବ ଦଖଲ ଅଭିମୁଖେ ବାହାରିଛି ଋଷ ସେନା । ଆଉ ଋଷର ଏଭଳି ପ୍ରଚଣ୍ଡ ଆକ୍ରମଣରେ ଅନେକ ୟୁକ୍ରେନ ବାସିନ୍ଦା ଦେଶ ଛାଡି ପଡୋଶୀ ଦେଶକୁ ପଳାୟନ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଏଯାବତ ୟୁକ୍ରେନରୁ ପ୍ରାୟ ୨ ଲକ୍ଷ ଲୋକ ଦେଶ ଛାଡି ସାରିଲେଣି ।
ଏଭଳି ସଙ୍କଟଜନକ ସ୍ଥିତିରେ ନିଜ ଦେଶ ତଥା ମାଟି ମା’ର ରକ୍ଷା ପାଇଁ ବିଦେଶରୁ ଦେଶକୁ ଫେରୁଛନ୍ତି ୟୁକ୍ରେନର ଯୁବକ । ରାଷ୍ଟ୍ରପତି ଜେଲେନସ୍କି ଋଷ ବିରୋଧରେ ଲଢେଇ ପାଇଁ ସାଧାରଣ ନାଗରିକଙ୍କୁ ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ । ଆଉ ଏହି ଆହ୍ୱାନକ୍ରମେ ଏବେ ଅନେକ ଯୁବକ ୟୁକ୍ରେନ୍ ମୁହାଁ ହୋଇଛନ୍ତି । ଶହ ଶହ ସାଧାରଣ ନାଗରିକ ଏବେ ୟୁକେନ୍ ସେନାରେ ସାମିଲ ହୋଇ ଋଷ ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଛନ୍ତି । ସବୁଠୁ ବଡ କଥା ହେଉଛି ସେନାରେ ମିଶିବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ପୂର୍ବତନ ସୈନିକ ମଧ୍ୟ ରହିଛନ୍ତି । ନିଜ ଦେଶର ରକ୍ଷା ପାଇଁ ଏବେ ପୁଣିଥରେ ଅସ୍ତ୍ର ଉଠାଇବାକୁ ଆଗେଇ ଆସିଛନ୍ତି ପୂର୍ବତନ ସୈନିକ । କିଏ ପଡୋଶୀ ଦେଶ ପୋଲାଣ୍ଡରୁ ଫେରୁଛି ତ କିଏ ପାଠ ପଢା ଛାଡି ଦେଶର ସୁରକ୍ଷା ପାଇଁ ବିଦେଶରୁ ୟୁକ୍ରେନକୁ ଫେରିଛି ।