ଉତ୍ତରପ୍ରଦେଶର ୩୦୦ ବର୍ଷର ଏକ ପୁରୁଣା ବାଲାଜୀ ମନ୍ଦିରରୁ ଚୋରି ଘଟଣା; ରାତିରେ ସୁଆଇ ଦେଲେନି ଭଗବାନ ! ଅତି ଭୟଙ୍କର ଦୁଃସ୍ବପ୍ନ ଦେଖିବା ପରେ ଚୋରି ମୂର୍ତି ଫେରାଇଦେଲେ ଚୋର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ୩୦୦ ବର୍ଷର ଏକ ପୁରୁଣା ବାଲାଜୀ ମନ୍ଦିରରୁ ଗତ ସପ୍ତାହରେ ଚୋରି ହୋଇଥିଲା | ୧୬ଟି ମୂର୍ତ୍ତି ଚୋରି କରି ନେଇଯାଇଥିଲେ ଚୋର | ତେବେ ଏନେଇ ଥାନାର ଅବିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇ ଥିବା ବେଳେ, ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି | ଚୋର ମାନେ ଚୋରି କରିଥିବା ମୂର୍ତି ଫେରାଇ ଦେଇଛନ୍ତି | ଏଥିସହ ମୂର୍ତି ଫେରାଇବାର କାରଣ ମଧ୍ୟ ଚିଠି ଲେଖି କହିଛନ୍ତି |

ମୂର୍ତି ଚୋରି କରିବା ପରେ ଚୋରମାନେ ଅତି ଭୟଙ୍କର ଦୁଃସ୍ବପ୍ନ ଦେଖିଥିଲେ। ଏହାପରେ ସେମାନେ ସମସ୍ତ ଚୋରି ମୂର୍ତ୍ତି ଫେରାଇ ଦେଇଛନ୍ତି। ସୋମବାର ରାତିରେ ସେମାନେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଘର ନିକଟରେ ଏହି ମୂର୍ତ୍ତିଗୁଡ଼ିକୁ ରଖି ଯାଇଛନ୍ତି। ଏଥିସହ ସେମାନେ ଏକ ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। ବାରମ୍ବାର ଦୁଃସ୍ବପ୍ନ ଦେଖିବାରୁ ସେମାନେ ଚୋରି ମୂର୍ତ୍ତି ଫେରାଇ ଦେଇଥିବା ସ୍ବୀକାର କରିଛନ୍ତି।

ସେମାନଙ୍କୁ କ୍ଷମା କରିଦେବା ପାଇଁ ସେମାନେ ଚିଠିରେ କହିଛନ୍ତି। ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ। ଏହାର ଓଜନ ୫ କିଲୋଗ୍ରାମ୍‌। ଏଥିରେ ଚାନ୍ଦି ମଧ୍ୟ ବ୍ୟବହାର ହୋଇଛି। କିନ୍ତୁ କୌଣସି ‌ଚୋରଙ୍କୁ ଚିହ୍ନଟ କରାଯାଇନାହିଁ। ମୂର୍ତ୍ତି ଚୋରି କରିବାପରେ ସେମାନେ ଶାନ୍ତିରେ ଖାଇପାରିନଥିବା କି ଶୋଇ ପାରିନଥିବା କହିଛନ୍ତି। ତେଣୁ ସେମାନେ ଏହି ମୂର୍ତ୍ତି ଗୁଡ଼ିକ ଫେରାଇ ଦେଇଛନ୍ତି।

Related Posts