ପଞ୍ଚାୟତ ନିର୍ବାଚନରେ ଅବ୍ୟବସ୍ଥାକୁ ନେଇ ଦେଖାଦେଲା ଉତ୍ତେଜନା; ବୁଥର ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଏହା ମଧ୍ୟରେ ପଞ୍ଚାୟତ ନିର୍ବାଚନରେ ଅବ୍ୟବସ୍ଥାକୁ ନେଇ ମୟୂରଭଞ୍ଜର ଶୁଳିଆପଦା ବ୍ଲକରେ ଦେଖାଦେଇଛି ଉତ୍ତେଜନା । ତେବେ ଶୁଳିଆପଦା ବ୍ଲକର କୁଜିହିଡ଼ୀହୀ, ଫାନିଆ, ବାଘଡ଼ା ଓ ଦେଉଳି ପଞ୍ଚାୟତରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଦେଇଛି । ଭୋଟର ତାଲିକାରେ ନାଁ ନଥିବାରୁ ଦୁଇଟି ବୁଥର ଜନସାଧାରଣ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ଅସନବଣୀ ଗ୍ରାମବାସୀ ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିବାରୁ ଖାଲି ବାକ୍ସ ନେଇ ପୋଲିଂ ଅଧିକାରମାନେ ନିରାଶ ହୋଇ ଫେରିଛନ୍ତି । ସେହିପରି ଦୁଇଟି ବୁଥରେ ବାଲାଟ ପେପରରେ ସରପଞ୍ଚ ପ୍ରାର୍ଥୀଙ୍କ ଚିହ୍ନ ନଥିବାରୁ ଗ୍ରାମବାସୀ ଭୋଟ ଦେଇ ନାହାନ୍ତି । ଏହାକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେବାରୁ ଗ୍ରାମବାସୀ ଭୋଟ ଦେଇପାରି ନାହାନ୍ତି । ଖବର ପାଇ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ସେପଟେ ଉକ୍ତ ଦୁଇ ବୁଥରେ ସରପଞ୍ଚ ପଦବୀ ନିମନ୍ତେ ସାନି ନିର୍ବାଚନ କରାଯିବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଭଗବାନ ଗୌଡ଼ ପ୍ରକାଶ କରିଛନ୍ତି ।

ଜିଲ୍ଲାର ୨୬ ବ୍ଲକ ମଧ୍ୟରୁ ୧୨ଟିରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । କପ୍ତିପଦା, ବାରିପଦା, ବେତନଟୀ, ଶୁଳିଆପଦା ଓ ସାରସକଣାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ଶୁଳିଆପଦା ବ୍ଲକର ବାଘଡ଼ା ବାଘଡ଼ା ପଞ୍ଚାୟତ ମହୁଲକୁଣ୍ଡିଆ ଗ୍ରାମର ୧୩ ନଂ ବୁଥ ଓ ଦେଉଳି ପଞ୍ଚାୟତ ବେଢ଼ି ଗ୍ରାମର ୧୨ ନଂ ବୁଥରେ ସରପଞ୍ଚ ଭୋଟକୁ ସ୍ଥଗିତ ରଖାଯାଇଛି । ଦୁଇ ବୁଥରେ ପୃଥକ ଭାବରେ ୭ ଓ ୮ ଜଣ ସରପଞ୍ଚ ପ୍ରାଥୀ ରହିଛନ୍ତି । ପୋଲିଂ ଅଧିକାରୀ ପ୍ରାର୍ଥୀ ତାଲିକାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇନଥିଲେ । ବାଲାଟ ପେପରକୁ ଠିକ ସଂଖ୍ୟକ ପ୍ରାର୍ଥୀଙ୍କ ଚିହ୍ନ ନଦେଖି ୪ ଜଣଙ୍କ ଚିହ୍ନ ରଖି ଅବଶିଷ୍ଟ ଭାଙ୍ଗି ଦେଇ ଭୋଟରମାନଙ୍କୁ ଦିଆଯାଇଥିଲା । ବାଲାଟ ପେପର ପ୍ରଦାନରେ ତ୍ରୁଟି ଯୋଗୁ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଛି ।

Related Posts