ଓଡ଼ିଶା ହାଇକୋର୍ଟରେ ଆଉ ତିନି ନୂଆ ବିଚାରପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ହାଇକୋର୍ଟରେ ଆଉ ତିନି ନୂଆ ବିଚାରପତି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣଙ୍କୁ ନିଯୁକ୍ତି ମିଳିଛି। ତିନି ଜଣଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୨, ଜାନୁଆରି ୨୯ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ଭି.ନରସିଂହ, ସଂଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣଙ୍କ ନାଁ ସୁପାରିସ କରିଥିଲା। ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି। ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଜଷ୍ଟିସ ଭି.ଗୋପାଳ ସ୍ବାମୀ ଓ ଅବସରପ୍ରାପ୍ତ ଅତିରିକ୍ତ ସ୍କୁଲ ଇନ୍ସପେକ୍ଟର ଭି.ଧର୍ମାମ୍ବାଙ୍କ ପୁଅ ହେଉଛନ୍ତି ଭି.ନରସିଂହ।

୧୯୬୭, ଜାନୁଆରି ୧୯ରେ ଜନ୍ମିତ ଶ୍ରୀ ନରସିଂହ ଭୁବନେଶ୍ବର ୟୁନିଟ-୧ ବୟେଜ ହାଇସ୍କୁଲରୁ ମାଟ୍ରିକ୍, ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଓ ଏମ.ଏସ.ଲ କଲେଜରୁ ଆଇନରେ ଏଲଏଲ.ଏମ୍ ପାସ୍ କରିଥିଲେ। ସେ ଏମ.ଏସ. ଲ କଲେଜରେ ସାମୟିକ ଭାବେ ଅଧ୍ୟାପନା ମଧ୍ୟ କରୁଥିଲେ। ୧୯୮୯ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ, ଷ୍ଟାଣ୍ଡିଂ କାଉନସିଲ, ଏଜିଏ ଭାବେ ନିଯୁକ୍ତି ପାଇଥିଲେ। ଓଡ଼ିଶା ହାଇକୋର୍ଟରେ ସିବିଆଇ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିସନରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଥିଲା। ବହୁ ସରକାରୀ ଅନୁଷ୍ଠାନ ସହିତ ସାଧାରଣ ବୀମା କମ୍ପାନି, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏନଏଚଏଆଇ ପାଇଁ ସେ ମାମଲା ପରିଚାଳନା କରୁଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ସୁନାମ ରହିଛି।

ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ ହେଉଛନ୍ତି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ। ସେ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ। ସେ ରେଭେନ୍ସାରୁ ଆଇ.କମ୍, ବି.କମ୍ ଓ ଏମ୍.କମ୍ ପାସ୍ କରିବା ପରେ ଏମ.ଏସ.ଲ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୩ରେ ଆଇନଜୀବୀ ଭାବେ ସେ ହାଇକୋର୍ଟରେ ଯୋଗ ଦେଇଥିଲେ। ସେ ପ୍ରଥମେ ବରିଷ୍ଠ ଆଇନଜୀବୀ ଡକ୍ଟର ଆଶୋକ କୁମାର ମହାପାତ୍ରଙ୍କ ଚାମ୍ବରରେ ଯୋଗ ଦେଇଥିବାବେଳେ ୧୯୯୭ରେ ସ୍ବାଧୀନ ଭାବେ ଓକିଲାତି ଆରମ୍ଭ କରିଥିଲେ। ସେ ବହୁ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିବିଶେଷଙ୍କୁ ଆଇନଗତ ସହାୟତା ପ୍ରଦାନ କରିଥିଲେ। ସେହିପରି ଏମ.ଆର.ଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ ଭାବେ ମୁରାହରି ଶ୍ରୀ ରମଣ ୧୯୭୦ ଜୁନ୍ ୮ରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ। ବାଣିଜ୍ୟକର ଆଇନ ସଂପର୍କିତ ପୁସ୍ତକ ସଂକଳନ କ୍ଷେତ୍ରରେ ସେ ଏମ.ଆର.ଭି.ରାଓଙ୍କୁ ସହାୟତା କରିଥିଲେ।

Related Posts