ଅଡ଼ୁଆରେ ତିର୍ତ୍ତୋଲ ବିଧାୟକ; ଇସ୍ତଫା ଓ ଗିରଫ ଦାବି କଲେ ବିରୋଧୀ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ବିଧାୟକଙ୍କ ପ୍ରେମିକା ଗୋଟିଏ ପରେ ଗୋଟିଏ ଅଭିଯୋଗ କରିବାରେ ଲାଗିଥିବାର ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ରୁଜୁ କରି ତଦନ୍ତ ପାଇଁ କ୍ରାଇମବ୍ରାଂଚକୁ ଚିଠି ଲେଖିବା ପରେ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ଆହୁରି ବଢ଼ିଯାଇଛି । ଏହାକୁ ପ୍ରସଙ୍ଗ କରି ଏବେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକଙ୍କୁ ଘେରିବା ଆରମ୍ଭ କରିଛନ୍ତି ।

ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଏଥିସହ ଅଭିଯୋଗ ସତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ବିବାହ ନକରିବାକୁ ନଆସିବାରୁ ବିଜୟ ଶଙ୍କରଙ୍କ ବିରୋଧରେ ତାଙ୍କ ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଯେଉଁଥିରେ ସୋମାଲିକା ଅଭିଯୋଗ କରିଥିଲେ ଯେ ବିଜୟ ସେକ୍ସ ରାକେଟ ଚଳାଉଥିବା ସହିତ ତାଙ୍କୁ ପ୍ରତାରଣ କରିଛନ୍ତି ।

ଅଭିଯୋଗକୁ ଗ୍ରହଣ କରି ଜଗତସିଂହପୁର ପୋଲିସ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତାପରେ ଏସପି ଅଖିଳେଶ୍ୱର ସିଂହ ଚଳିତ ମାସ ୪ତାରିଖରେ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଚିଠି ଲେଖିଛନ୍ତି । ବିବାହ କରିବାକୁ ମେ ୧୭ତାରିଖରେ ଜଗତସିଂହପୁର ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିବା ପରେ ଉଭୟ ପରିବାର ସହମତିରେ ଜୁନ୍ ୧୭ରେ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ହେଲେ, ଜୁନ୍ ୧୭ରେ ବିବାହ କରିବାକୁ ଆସିନଥିଲେ ବିଜୟ । ଗୋଟିଏ ଦିନ ଅପେକ୍ଷା କରିବା ପରେ ପରଦିନ ଅର୍ଥାତ ଜୁନ୍ ୧୮ରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି

Related Posts