ଆଜି ମହାରାଷ୍ଟ୍ରରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା, ଆସନ୍ତାକାଲି ଯୋଗଦେବେ ଶରଦ ପାୱାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସେପ୍ଟେମ୍ବର ୭ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼ ଯାତ୍ରା’ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହିଯାତ୍ରା କ୍ରମାଗତ ଭାବରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଅତିକ୍ରମ କରିବା ପରେ ଆଜି ମହାରାଷ୍ଟ୍ରରେ ପ୍ରବେଶ କରିବାକୁ ଯାଉଛି।

ଏବେ ତେଲେଙ୍ଗାନାର ଚାଲିଥିବା ଏହି ଯାତ୍ରା ଆଜି ସନ୍ଧ୍ୟାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମହାରାଷ୍ଟ୍ର ନନ୍ଦେଡ ଜିଲ୍ଲାର ଡିଗ୍ଲୋରର ମଦନୁର ନାକାରେ ପହଞ୍ଚିବେ । ଏନେଇ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ଦଳୀୟ କର୍ମଚାରୀ ରାତି ପ୍ରାୟ ୧୦ଟାରୁ ଏକତା ମଶାଲ ମାର୍ଚ୍ଚ ଆରମ୍ଭ କରିବେ । ଏହି ଯାତ୍ରା ମହାରାଷ୍ଟ୍ରରେ ୧୪ ଦିନ ଧରି ଚାଲିବାକୁ ଥିବାବେଳେ ସୋନିଆ ଗାନ୍ଧିଙ୍କ ସହ ଅନ୍ୟ କର୍ମକର୍ତ୍ତା ୫ ବିଧାନସଭା ଏବଂ ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଦେଇ ୩୮୧ କିଲୋମିଟର ଚାଲିବେ । ଏହି ଯାତ୍ରାକୁ ଆହୁରି ପ୍ରସାର କରିବା ପାଇଁ ଆସନ୍ତାକାଲି(ମଙ୍ଗଳବାର) ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ଏହି ଯାତ୍ରାରେ ଯୋଗଦେବେ ।

ତେବେ ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ନଥିବା କାରଣରୁ ସେ ଏକ ମାଇଲରୁ କମ ଚାଲିବେ ବୋଲି ସୂଚନା ରହିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ଏହି ଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟସୂଚୀ ନିଶ୍ଚିତ କରିନାହାଁନ୍ତି । ଏହି ଯାତ୍ରାରେ ମହାରାଷ୍ଟ୍ରର ବହୁ ବରିଷ୍ଠ କଂଗ୍ରେସ ନେତା ନାନା ପାଟୋଲ, ବାଲାସାହେବ ଥୋରାଟ, ଭାଇଜଗତାପ, ଅଶୋକ ଚାବନଙ୍କ ଅନ୍ୟମାନେ ଯୋଗଦେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ୧୨ ରାଜ୍ୟ ଦେଇ ଜମ୍ମୁ କଶ୍ମୀରରେ ଶେଷ ହେବ । ଏହି ଅଭିଯାନରେ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏଁ ଦୀର୍ଘ ୩,୫୭୦ କିଲୋମିଟର ଯାଏଁ ପଦଯାତ୍ରା କରାଯିବ । ଭାରତ ଇତିହାସରେ କଂଗ୍ରେସ ନେତାମାନଙ୍କର ଏହା ଦୀର୍ଘତମ ପଦଯାତ୍ରା ବୋଲି କଂଗ୍ରେସ ଏକ ବିବୃତ୍ତିରେ ଦାବି କରିଛି । ଏହି ଭାରତ ଯୋଡ଼ ଯାତ୍ରାରେ ଭାରତର ବିଭିନ୍ନ ରାଜନୈତିକ ଦଳ ତଥା ସାମାଜିକ ସଂଗଠନର ଭରତ ଯୋଡ଼ ଯାତ୍ରୀଙ୍କ ସମର୍ଥନ ମିଳୁଛି । ମାହାରାଷ୍ଟ୍ରରେ ମଧ୍ୟ ଏନସିପି ସହ ଶିବସେନା ସମର୍ଥନ କରିବାନେଇ କୁହାଯାଇଛି ।

ତେବେ ୧୫୦ ଦିନ ଏହି ଯାତ୍ରା ମଧ୍ୟରେ କଂଗ୍ରେସ ନେତା କୌଣସି ହୋଟେଲରେ ରହିବେ ନାହିଁ । ଅତି ସାଧାରଣ ଭାବେ ସେମାନେ ନିଜର ପୁରା ଯାତ୍ରା ଶେଷ କରିବେ । କଣ୍ଟେନରରେ ରାହୁଲ ଗାନ୍ଧୀଙ୍କ ରାତ୍ରି ରହଣୀ ପାଇଁ ବ୍ୟବସ୍ଥା କରାଯାଉଛି । ଏଥିରେ ବେଡ୍, ଶୌଚାଳୟ ଏବଂ ଏସି ବ୍ୟବସ୍ଥା ଥିବା ଜଣାପଡିଛି । ପ୍ରତ୍ୟେକ ଦିନ ଏକ ନୂଆ ସ୍ଥାନରେ କଣ୍ଟେନରକୁ ରଖାଯିବ ଏବଂ ରାତ୍ରି ସମୟରେ ସେମାନେ ଏଥିରେ ବିଶ୍ରାମ ନେବେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ବିଶାଳ ପଦଯାତ୍ରା ଆରମ୍ଭ କରୁଛି । ଭାରତ ଯୋଡ ଅଭିଯାନ ମାଧ୍ୟମରେ ସମସ୍ତ କଂଗ୍ରେସ କର୍ମୀ ଏବଂ ସଦସ୍ୟଙ୍କୁ ଯୋଡିବା କଂଗ୍ରେସର ଉଦ୍ଦେଶ୍ୟ ଅଟେ ।

Related Posts