ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍: ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରୋହିତ ବାହିନୀ

ଆଜି ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟକୁ ଭାରତ ୩ ଦିନ ଭିତରେ ଜିତି ୧-୦ରେ ଆଗୁଆ ଥିବା ବେଳେ, ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ୧-୧ରେ ବରାବର ରଖିବାକୁ ଚେଷ୍ଟା କରିବ ।

ବେଙ୍ଗାଲୁରୁରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ ସେ ଦୀର୍ଘ ବର୍ଷ ହେଲାଣି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାନ୍ତି। ବେଙ୍ଗାଲୁରୁ ତାଙ୍କର ଘରୋଇ ପିଚ୍‌ ହୋଇଥିବାରୁ ଏଠାରେ ତାଙ୍କ ବ୍ୟାଟରୁ କ୍ରିକେଟ ପ୍ରେମୀ ଶତକ ଆଶା କରିଛନ୍ତି। ସେହପରି ପିଙ୍କ ବଲ୍‌ ଟେଷ୍ଟ ପାଇଁ ବିସିସିଆଇ ୧୦୦% ଦର୍ଶକଙ୍କୁ ଅନୁମତି ଦେଇଛି। ଏହାର ଅର୍ଥ ଚିନାସ୍ୱାମୀ ଷ୍ଟାଡିୟମ ଫୁଲ କ୍ଷମତାର ଦର୍ଶକଙ୍କୁ ନେଇ ଭାରତ ଓ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ର ହୋଷ୍ଟ କରିବ।

ସୂଚନାଯୋଗ୍ୟ, ଭାରତ ଶେଷ ଥର ପାଇଁ ପାଖାପାଖି ବର୍ଷକ ତଳେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୋଲାପି ବଲ୍ ଟେଷ୍ଟ୍ ଖେଳିଥିଲା | ସେହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ଧୂଳି ଚଟାଇଥିଲା । ଏହି ମ୍ୟାଚ୍ ମାତ୍ର ଦୁଇ ଦିନ ଭିତ‌ରେ ଶେଷ ହୋଇଯାଇଥିଲା । ସେଥିପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଭାରତ ଫେବରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଟେଷ୍ଟ୍‌କୁ ତିନି ଦିନ ଭିତରେ ଜିତି ନେଇଥିବା ଭାରତ ମଧ୍ୟ ଏହି ପ୍ରତୀକ୍ଷିତ ମ୍ୟାଚ୍‌କୁ ଜିତି ଦୁଇ ଟିକିଆ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ ।

ଭାରତ ମାତ୍ର ତିନି ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ଯାହାକୁ ଭାରତ ଅତି ସହଜରେ ଜିତି ନେଇଥିଲା । ୨୦୨୦ରେ ଆଡିଲେଡ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିବାରାତ୍ର ଟେଷ୍ଟ୍‌ରେ କିନ୍ତୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ହୋଇଥିଲା। ଯାହା ଟେଷ୍ଟ୍ କ୍ରିକେଟ୍‌ରେ ତା’ର ସର୍ବନିମ୍ନ ଦଳଗତ ସ୍କୋର ଥିଲା ।

ସେପଟେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ଦ୍ବାରରେ ପହଞ୍ଚିଛନ୍ତି। ବେଙ୍ଗାଲୁରୁରେ ଶନିବାର ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଖେଳିଲେ ସେ ନବମ ଭାରତୀୟ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହେବେ। ରୋହିତ ଏ ପର୍ଯ୍ୟନ୍ତ ୪୪ ଟେଷ୍ଟ୍‌, ୨୩୦ ଦିନିକିଆ ଏବଂ ୧୨୫ ଟ୍ବେଣ୍ଟି-୨୦ ସହ ମୋଟ ୩୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

Related Posts