ପୁରୀରେ ପର୍ଯ୍ୟଟକଙ୍କ ଦାଦାଗିରି: ଗାଡି ସାଇଡ୍ ମାରିବାକୁ ନେଇ ପଚାରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବା ବେଳେ, ପୁରୀରେ ଏକ ଅଭାବନୀୟ ଘଟଣା ଘଟିଛି । ପର୍ଯ୍ୟଟକ ଦାଦାଗିରି ଦେଖାଇଛନ୍ତି । ପ୍ରଥମେ ଚାରିଚକିଆ ଗାଡି ସାଇଡ୍ ମାରିବା ନେଇ ପଚାରିବାରୁ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୁରୀ ଲବଣିଖିଆ ଛକ ଠାରେ ଘଟିଛି ଏଭଳି ଘଟଣା।

ଖବର ଅନୁଯାୟୀ, ଦୈନିକ ଖବରକାଗଜ ଦଂଶନର ପୁରୀ ପ୍ରତିନିଧି ଅନନ୍ତ ସିଂ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କ ଦେହରେ ଗଭୀର ଆଘାତ ଲାଗିଛି। ଏଥିସହ ଅନନ୍ତଙ୍କ ମନିପର୍ସ, ସୁନା ଚେନ୍ ମଧ୍ୟ ପର୍ଯ୍ୟଟକ ମାନେ ଛଡାଇ ନେଇଛନ୍ତି। ଅନନ୍ତ ଖବର ସଂଗ୍ରହ ପାଇଁ ନିଜ ସ୍କୁଟିରେ ଲବଣିଖିଆ ଛକ ବାଟଦେଇ ଯାଉଥିବା ସମୟରେ ଏକ ଚାରିଚକିଆ ଯାନ ତାଙ୍କୁ ସାଇଡ୍ ମାରିଥିଲା। ତେବେ ଏନେଇ ଚାରିଚକିଆ ଯାନରେ ଥିବା ବ୍ୟକ୍ତିଙ୍କୁ କାହିଁକି ସାଇଡ୍ ମାରିଲ ବୋଲି ପଚାରିବାରୁ ସେଠାରେ ତାଙ୍କୁ ପର୍ଯ୍ୟଟକମାନେ ନିସ୍ତୁକ ପିଟିଥିଲେ। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅନନ୍ତଙ୍କୁ ଉଦ୍ଧାର କରିବା ସହ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Posts