ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଲୋମହର୍ଷଣକାରୀ ଦୁର୍ଘଟଣା: ଜଳିଗଲା ଟ୍ୟାଙ୍କର-ଟ୍ରକ୍, ୯ ଜଣ ଜୀବନ୍ତ ଦଗ୍ଧ

ଚନ୍ଦ୍ରପୁର: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଛି । ଗୋଟିଏ ଡିଜେଲ ବୋଝେଇ ଟ୍ୟାଙ୍କର ଓ କାଠ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଛି। ଦୁର୍ଘଟଣା ଏତେ ଭୟଂକର ଥିଲା ଯେ ଟ୍ୟାଙ୍କର ଓ ଟ୍ରକ୍‌ରେ ଥିବା ସମସ୍ତ ୯ ଜଣ ଲୋକ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ପୁଲିସ୍‌ କହିଛି ଯେ ଚନ୍ଦ୍ରପୁର-ମୁଲ ରୋଡ୍‌ରେ ରାତି ପ୍ରାୟ ୧୦.୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ଡିଜେଲ ବୋଝେଇ ଟ୍ୟାଙ୍କର ସହ କାଠଗୋଲା ନେଇ ଯାଉଥିବା ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି। ଚନ୍ଦ୍ରପୁର ସହର ଅଜୟପୁର ନିକଟରେ ଦୁର୍ଘଟଣା ଘଟିବା ପରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ନିଆଁରେ ପୋଡ଼ି ଯାଇ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ଜଙ୍ଗଲ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଖବର ପାଇଥିଲେ ମଧ୍ୟ ଦମକଳ ବାହିନୀ ପ୍ରାୟ ୧ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ହିଁ ଦୀର୍ଘ ସମୟର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଗାଡ଼ି ଦୁଇଟି ସହ ଜଙ୍ଗଲର କିଛି ଅଂଶ ମଧ୍ୟ ନିଆଁରେ ପୋଡ଼ି ଯାଇଛି। ତେବେ ଜଙ୍ଗଲର କ’ଣ କ୍ଷୟକ୍ଷତି ହୋଇଛି, ସେ ବିଷୟରେ ଜଣାପଡ଼ିନି। ପୁଲିସ୍‌ ନିଆଁ ଆୟତ୍ତ ହେବା ପରେ ଘଟଣା ସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରି ଚନ୍ଦ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛି।

ପୁଲିସ୍ ଆହୁରି କହିଛି ଯେ ଟ୍ରକ୍ଟି କାଠ ଗୋଲା ଧରି ୱାଦସାରୁ ଚନ୍ଦ୍ରପୁର ଯାଉଥିଲା। ସେହିପରି ଡିଜେଲ ବୋଝେଇ ଟ୍ୟାଙ୍କରଟି ମୁଲରୁ ଚନ୍ଦ୍ରପୁର ଆସୁଥିଲା। ତେବେ ଅଜୟପୁର ନିକଟରେ ଉଭୟେ ସାମ୍ନା ପଟୁ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ର ଟାୟାର ଫାଟିଯିବା ସହ ନିଆଁ ଲାଗି ଯାଇଥିଲା। ଟ୍ୟାଙ୍କରରେ ଡିଜେଲ ଥିବାରୁ ନିଆଁ ଦ୍ରୁତଗତିରେ ଦୁଇଟି ଯାକ ଗାଡ଼ି ଓ ନିକଟସ୍ଥଳ ଜଙ୍ଗଲରେ ବ୍ୟାପି ଯାଇଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଟ୍ୟାଙ୍କରେ ଥିବା ଦୁଇ ଟ୍ରାଇଭର ଓ ଟ୍ରକ୍‌ରେ ଥିବା ୭ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ।

Related Posts