ଟ୍ରାକ୍‌ରେ ଦୌଡ଼ିବ ‘ବେଗର ବାଦ୍‌ଶାହ’, ଚାଲିବ ଦେଶର ଦ୍ରୁତତମ ଟ୍ରେନ୍‌

ହାଇଟେକ୍‌ ଓ ହାଇଟେକ୍‌ ସୁବିଧାରେ ସଜେଇ ହୋଇଥିବା ଟ୍ରେନ୍‌ 18 ଖୁବ୍‌ଶୀଘ୍ର ଆରମ୍ଭ କରିବ ଚଳାଚଳ । ମହାକୁମ୍ଭ ଆରମ୍ଭ ହେବା ସହ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌କୁ ସବୁଜ ପତାକା ଦେଖାଇପାରନ୍ତି ।

ଟ୍ରେନ୍‌ 18, ଯାହା ଦେଖିବାରେ ବିଦେଶୀ, ପ୍ରକୃତରେ ଶହେ ପ୍ରତିଶତ ଦେଶୀ । ୟୁରୋପୀୟ ଡିଜାଇନ୍‌, କିନ୍ତୁ ଜ୍ଞାନକୌଶଳ ସ୍ବଦେଶୀ । ଯେତେ ଦ୍ରୁତ, ସେତେ ଆରାମଦାୟକ ଆଉ ସୁରକ୍ଷିତ । ମେକ୍‌ ଇନ୍‌ ଇଣ୍ଡିଆ ଆଧାରରେ ନିର୍ମିତ ଟ୍ରେନ୍‌ 18 ଏବେ ରେଲୱେ ଟ୍ରାକ୍‌ରେ ଦୌଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ଟ୍ରେନ୍‌ 18 ବାରଣାସୀରୁ ଦିଲ୍ଲୀ ଭିତରେ ଚାଲିବ । ଏହାର ବେଗ ଘଣ୍ଟା ପ୍ରତି 130 କିଲୋମିଟର ରହିବ । ଦିଲ୍ଲୀରୁ ବାରଣାସୀକୁ ଲାଗିବ 8 ଘଣ୍ଟା ସମୟ । କାନପୁର ଓ ପ୍ରୟାଗରାଜରେ ହେବ ଦୁଇ ମିନିଟ୍‌ର ରହଣି ସମୟ ରଖାଯାଇଛି ।

ଏହି ଟ୍ରେନ୍‌ର ବିଶେଷତ୍ବ ହେଲା ଏହାକୁ ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ କରିବା ସହ ସୁରକ୍ଷା ପ୍ରତି ମଧ୍ୟ ପୁରା ଧ୍ୟାନ ଦିଆଯାଇଛି ।
ଟ୍ରେନ୍‌ର ଗେଟ୍‌ ଅଟୋମେଟିକ୍‌ ଖୋଲିବ ଓ ବନ୍ଦ ହେବ । ସ୍ଲାଇଡିଂ ଷ୍ଟେପ୍‌ରୁ ପ୍ଲାଟଫର୍ମ ଓ କୋଚ୍‌ ମଧ୍ୟରେ କୌଣସି ଫାଟ ରହିବ ନାହିଁ ।
ଟ୍ରେନ୍‌ ଡୋରରେ ସିସିଟିଭି କ୍ୟାମେରା ଲଗାଯାଇଛି ।

କୋଚ୍‌ରେ ରହିଛି ଭାକ୍ୟୁମ୍‌ ଟଏଲେଟ୍‌ ବ୍ୟବସ୍ଥା । ଭେକ୍ୟୁମ୍‌ ଟଏଲେଟ୍‌ରେ ଉନ୍ନତ ସଫେଇ ମିଳିବ । ପ୍ରତି କୋଚ୍‌ରେ 4ଟି ଏଲ୍‌ଇଡି ସ୍କ୍ରିନ୍‌ ମାଧ୍ୟମରେ ଯାତ୍ରା ବାବଦରେ ସୂଚନା ମିଳିବ । ଚେୟାରକାର୍‌ କୋଚ୍‌ରେ ସିଟ୍‌ 360 ଡିଗ୍ରୀ ଘୁରିପାରିବ । ହାଇସ୍ପିଡ୍‌ ୱାଇଫାଇ ମାଧ୍ୟମରେ ମୋବାଇଲ୍‌, ଲାପଟପ୍‌, ଆଇପ୍ୟାଡ୍‌ ଚାଲିପାରିବ ।

ପ୍ରତ୍ୟକ କୋଚ୍‌ରେ ନିଜସ୍ବ ଇଞ୍ଜିନ୍‌ ଓ ସ୍ବତନ୍ତ୍ର ବ୍ରେକିଂ ସିଷ୍ଟମ ରହିଛି । କୋଚ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି । ପୂର୍ବରୁ ଟ୍ରେନ୍‌ 18ର ଏକାଧିକ ଥର ଟ୍ରାଏଲ୍‌ ରନ୍‌ ସଫଳ ହୋଇଛି । 13 ବା 14 ଜାନୁୟାରୀରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିପାରେ ।

Related Posts