ତିନି ତଲାକ ବିଲ ଆଇନରେ ପରିଣତ, ରାଷ୍ଟ୍ରପତି ଦେଲେ ମଂଜୁରୀ

ମୁସଲିମ ମହିଳାଙ୍କୁ ଏକକାଳୀନ ତଲାକ ଦିଆଯିବାକୁ ଅପରାଧ ଦର୍ଶାଇଥିବା ଐତିହାସିକ ବିଲକୁ ବୁଧବାର ବିଳମ୍ବିତ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି । ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ କରିବା ସହିତ ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲ ଏବେ ଆଇନରେ ପରିଣତ ହୋଇଛି । ଏହି ଆଇନ ୨୦୧୮ ସେପ୍ଟେମ୍ବର ୧୯ରୁ ପିଛଲା ଭାବେ ଲାଗୁ ହେବ । ଏହା ପୂର୍ବରୁ ମଙ୍ଗଳବାର ରାଜ୍ୟସଭା ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲକୁ ନିଜର ସ୍ୱୀକୃତି ଦେଇଥିଲେ ।

ସଂସଦର ଉଚ୍ଚ କକ୍ଷ ରାଜ୍ୟସଭାରେ ମୁସଲିମ ମହିଳା ବିଲ ପକ୍ଷରେ ୯୯ ଭୋଟ ପଡ଼ିଥିବା ବେଳେ ଏହାର ବିରୋଧରେ ୮୪ ଭୋଟ ପଡ଼ିଥିଲା । ବହୁଜନ ସମାଜ ପାର୍ଟି, ପିଡିପି, ତେଲେଙ୍ଗାନା ରାଷ୍ଟ୍ର ସମିତି, ଜନତା ଦଳ ୟୁନାଇଟେଡ, ଏଆଇଡିଏମକେ ଓ ତେଲୁଗୁ ଦେଶମ ପାର୍ଟିଭଳି କିଛି ଦଳ ଭୋଟିଂରେ ଅଂଶଗ୍ରହଣ ନ କରିବାରୁ ସରକାରଙ୍କୁ ଏହି ବିଲ ଗୃହିତ କରିବାରେ ସହଜ ହୋଇଥିଲା । ଅନ୍ୟପକ୍ଷରେ ବିଲ ମଂଜୁରୀ ହେବାର ଅନ୍ୟତମ କାରଣ ହେଲା ବିରୋଧୀଙ୍କ ରଣନୀତି ଦୁର୍ବଳ ଥିଲା । ଏହି ବିଲକୁ ବିରୋଧ କରୁଥିବା କଂଗ୍ରେସ କିଛି ଗୁରୁତ୍ୱପୂର୍ଣ୍ଣ ଦଳ ସହିତ ନିଜର ସଂପର୍କ ଜାରି ରଖିବାରେ ବିଫଳ ହୋଇଥିଲା ।

ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହି ଆଇନ ଏବେ ତିନି ତଲାକକୁ ନେଇ ଫେବୃୟାରୀକୁ ଜାରି କରାଯାଇଥିବା ଆଧ୍ୟାଦେଶର ସ୍ଥାନ ନେବ । ଏହା ପୂର୍ବରୁ ବିଲକୁ ଚୟନ କମିଟିଙ୍କ ନିକଟକୁ ପଠାଇବା ପ୍ରସ୍ତାବ ୧୦୦ ତୁଳନାରେ ୮୪ ଭୋଟରେ ସୀମିତ ରହିଯାଇଥିଲା । ଏହି ବିଲକୁ ମଂଜୁରୀ ମିଳିବା ସହିତ ସରକାର ପ୍ରମାଣିତ କରିଦେଲେ ଯେ, ଏହାର ସ୍ଥିତି ଉଚ୍ଚ ଗୃହରେ ମଧ୍ୟ ମଜବୁତ ଥିଲା ।

Related Posts