ତ୍ରିପୁରା ଉପନିର୍ବାଚନ: ବାଜିମାତ କଲା ବିଜେପି, ୪ ଆସନରୁ ଜିତିଲା ୩

ଅଗରତାଲା: ପ୍ରକାଶ ପାଇଛି ତ୍ରିପୁରା ଉପନିର୍ବାଚନର ଫଳାଫଳ । ବାଜିମାତ କରିଛି ବିଜେପି । ୪ ଆସନରୁ ବିଜେପି 3 ଟି ଆସନକୁ ଅକ୍ତିଆର କରିନେଇଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ବରଦୋୱାଲୀ ଆସନରୁ ୬,୧୦୪ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କଂଗ୍ରେସର ସୁଦୀପ ର ବର୍ମନ ମଧ୍ୟ ଅଗରତାଲା ଆସନରୁ ୩,୧୬୩ ଭୋଟରେ ବିଜୀୟ ହୋଇଛନ୍ତି।

ରାଜ୍ୟରେ ୪ ଆସନରୁ ବିଜେପି ବୋରୋଦୱାଲୀ, ଜୁବରାଜନଗର ଏବଂ ସୁର୍ମା ଆସନରୁ ଜିତିଥିବା ବେଳେ କଂଗ୍ରେସ ମାତ୍ର ଅଗରତାଲାରୁ ଜିତିଛି। ଏହି ବିଜୟ ପରେ ରାଜ୍ୟରେ ବିଜେପି କର୍ମୀମାନେ ସେଲିବ୍ରେଟ୍ କରିବା ଆରମ୍ବ କରିଦେଇଛନ୍ତି। ଗତ ମାସରେ ବିପ୍ଳବ ଦେବ ହଠାତ୍ ଇସ୍ତଫା ଦେବା ପରେ ମାଣିକ ଶାହଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଥିଲା ଦଳ। ସେତେବେଳେ ମାଣିକ ଶାହ ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କୁ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇ ରଖିବାକୁ ହେଲେ ଉପନିର୍ବାଚନ ଜିତିବାର ଥିଲା। ଏବେ ବିଧାୟକ ଭାବେ ନିର୍ବାଚନ ଜିତିବା ପରେ ମାଣିକ ସାହା ନିୟମ ଅନୁସାରେ ସାଂସଦ ପଦରୁ ଇସ୍ତଫା ଦେବେ।

ଫେବ୍ରୁଆରୀ ମାସରେ ଅଶିଷ କୁମାର ଶାହ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେବା ପରେ ବରଦୋୱାଲୀ ଆସନ ଖାଲି ପଡ଼ିଥିଲା। ଏଥିପାଇଁ ଉପନିର୍ବାଚନ ହୋଇଥିଲା। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମାଣିକ ସାହା ବିଜୟୀ ହୋଇଛନ୍ତି ।

Related Posts