ଟିଆରପି ଘୋଟାଲା : ରିପବ୍ଲିକ୍ ଟିଭି ଏଡିଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୁଲିସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ଅଡୁଆରେ ରିପବ୍ଲିକ୍ ଟିଭି ଏଡିଟର୍ ଅର୍ଣ୍ଣବ୍ ଗୋସ୍ୱାମୀ । ମଙ୍ଗଳବାର ଦିନ ମୁମ୍ବାଇ ପୁଲିସ୍ ଟେଲିଭିଜନ୍ ରେଟିଂ ପଏଣ୍ଟ (ଟିଆରପି) ସ୍କାମ୍ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଗୋସ୍ୱାମୀଙ୍କୁ ଆରୋପୀ ଦର୍ଶାଯାଇଛି। ଅର୍ଣ୍ଣବ ଏବଂ ARG ଆଉଟଲିଅର୍ ମିଡିଆର ଅନ୍ୟ ଚାରିଜଣଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍ ରେ ରହିଛି। ଅନ୍ୟ ଚାରି ଜଣ ହେଉଛନ୍ତି, ସିଓ ପ୍ରିୟା ମୁଖାର୍ଜୀ, ଶିବେନ୍ଧୁ ମୁଲେଲକର ଏବଂ ଶିବ ସୁନ୍ଦରମ। ୧୮୦୦ ପୃଷ୍ଠାର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଅଭିଯୁକ୍ତ ଭାବରେ ୫ଜଣଙ୍କ ନାମ ରହିଛି ବୋଲି ଲାଇଭ୍ ଲ’ ପକ୍ଷରୁ ରିପୋର୍ଟ ହୋଇଛି । ନଅ ମାସ ପୂର୍ବେ ଏହି ମାମଲାରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏକ ଏଫଆଇଆର ଦାଖଲ କରିଥିଲେ । ସୂଚନାଯୋଗ୍ୟ, ୮ ଅକ୍ଟୋବର୍ ୨୦୨୦ ରେ ମୁମ୍ବାଇ ପୁଲିସ୍ କମିସନର ଟିଆରପି ସ୍କାମ୍ କୁ ନେଇ ପ୍ରଥମେ ଖୁଲାସା କରିଥିଲେ । ଏଥିରେ ରିପବ୍ଲିକ୍ ଟିଭି ସମେତ ବକ୍ସ ସିନେମା ଏବଂ ଫକ୍ତ ମରାଠୀ ଚ୍ୟାନେଲ ରହିଥିଲା । ପରମବୀର ସିଂଙ୍କ ସୂଚନା ମୁତାବକ ଏହି ଚ୍ୟାନେଲ୍ ଗୁଡ଼ିକ ଟିଆରପି ବଢ଼ାଇବାକୁ ଚେଷ୍ଟା କରିଥିଲେ । ବ୍ରଡକାଷ୍ଟ ଅଡ଼ିଆନ୍ସ ରିସର୍ଚ୍ଚ କାଉନ୍ସିଲ୍ ର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପାର୍ଥ ଦାସଗୁପ୍ତାଙ୍କୁ ତଥାକଥିତ ରୂପେ ଟଙ୍କା ଦେଇ ଟିଆରପି ବଢ଼ାଉଥିଲେ ବୋଲି ସେ କହିଥିଲେ। ଏହି ଘଟଣାରେ ମୁମ୍ବାଇ ପୋଲିସ BARC ର ପୂର୍ବତନ ସିଇଓଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ହାନସା ରିସର୍ଚ୍ଚ ଗ୍ରୁପର ପୂର୍ବତନ ଅଧିକାରୀ, ନ୍ୟୁଜ୍ ଚ୍ୟାନେଲର ମାଲିକ ଏବଂ ଜଣେ ରିପବ୍ଲିକ୍ ମିଡିଆ କର୍ମଚାରୀ ଘନଶ୍ୟାମ ସିଂଙ୍କ ସମେତ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଠକେଇ, ଅପରାଧିକ ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିଥିବା ଆରୋପ ଲଗାଯାଇଛି।

Related Posts