ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ରାଜସ୍ଥାନର ବାଡମେର ଜିଲ୍ଲାର ଚୌହାତନ ପୋଲିସ ଷ୍ଟେସନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବିଏସଏଫ ଗାଡି ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଏସ୍ଏଫ୍ ଗାଡିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି ।ଏଥିସହ ଅନ୍ୟ ୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯୋଧପୁରକୁ ପଠାଯାଇଛି । ଦୁଇ ଯବାନ ବାଡମେରରେ ଏବଂ ଜଣେ ଯବାନ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବାଡମେର-ଚୌହତାନ ରାସ୍ତାରେ ଥିବା ଚୌହତାନ ଆଗୌର ବସ୍ ଷ୍ଟାଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୀମା ସୁରକ୍ଷା ବାହିନୀର ୮୩ ତମ ବାଟାଲିୟନର ୭ ଜଣ ସୈନିକ ସେଡୱା ଠାରୁ ବାଡମେର୍ ଆସୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ବିଏସଏଫ ଗାଡିକୁ ମୁହାଁମିହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଚୌହତାନ ପୋଲିସ ଷ୍ଟେସନ ଏବଂ ଏହାର ଆଖପାଖ ଲୋକମାନେ ସେଠାରେ ପହଞ୍ଚିଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଆହତ ସୈନିକମାନଙ୍କୁ ଚୌହତାନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ ଜଣ ଯବାନଙ୍କୁ ବାଡମର ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଥିଲା ।
