ଅଶାନ୍ତ ଜେଏନୟୁ: ଛାତ୍ରବୃତ୍ତି ମାଗିବାରୁ ଛାତ୍ରମାନଙ୍କୁ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗାର୍ଡ ମାଡ ମାରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ରେ ଦେଖିବାକୁ ମିଳିଛି ଅଶାନ୍ତ । ଛାତ୍ରଙ୍କ ସହିତ ମାରପିଟ୍ ଘଟଣା ସାମ୍ନାକୁ ଆସିଛି, ଫଳରେ ଅଶାନ୍ତ ହୋଇପଡିଛି କଲେଜ୍ ପରିସର। ଛାତ୍ରବୃତ୍ତି ମାଗିବାରୁ ଛାତ୍ରମାନଙ୍କୁ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗାର୍ଡ ମାଡ ମାରିଛନ୍ତି। ଏହି ଘଟଣାରେ ଜେଏନୟୁର ଏବିଭିପି ଅଧ୍ୟକ୍ଷ ରୋହିତ କୁମାରଙ୍କ ସମେତ ୬ ଛାତ୍ର ଆହତ ହୋଇଛନ୍ତି।

ଛାତ୍ରମାନଙ୍କ ଅଭିଯୋଗ ଏହା ଯେ, ଦୁଇ ବର୍ଷ ହେବ ତାଙ୍କ ଛାତ୍ର ବୃତ୍ତିକୁ ଅଟକାଇ ରଖାଯାଇଛି। ଛାତ୍ରବୃତ୍ତି ଜାରି କରିବା ଦାବି ନେଇ ଜେଏନୟୁ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିଲୁ। ମାତ୍ର ସେଠାରେ କର୍ମଚାରୀ ଏବଂ ଗାର୍ଡ ସେମାନଙ୍କୁ ଅଟକାଇବା ସହ ମାରପିଟ୍ କରିଛନ୍ତି। ଏଥିରେ ଛଅରୁ ଅଧିକ ଛାତ୍ର ଆହତ ହୋଇଛନ୍ତି।

ଆହତ ଛାତ୍ରଙ୍କ ମଧ୍ୟରେ ଜେଏନୟୁର ଏବିଭିପି ସଭାପତି ରୋହିତ କୁମାର ମଧ୍ୟ ସାମିଲ୍। ଆହତ ଛାତ୍ରଙ୍କ କହିବା କଥା ସେମାନେ ଶୀଘ୍ର ଦିଲ୍ଲୀ ପୋଲିସରେ ଅଭିଯୋଗ କରିବେ। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି। ଏଥିରେ ଛାତ୍ର ଏବଂ ଗାର୍ଡଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି। ମାରପିଟ୍ ସମୟରେ କିଛି ଛାତ୍ର ଟେବୁଲ୍ ଉପରେ ଖସି ପଡୁଥିବା ଦେଖିବାକୁ ମିଳିଛି। ଗାର୍ଡ ଛାତ୍ରଙ୍କୁ ମାଡ ମାରିବା ସହ ବାହାରକୁ ଘଉଡାଉଛନ୍ତି।

ଏବିଭିପି ଘଟଣାର ଭିଡିଓକୁ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି। ଏଥିରେ କୁହାଯାଇଛି, ଜେଏନୟୁର ରେକ୍ଟରଙ୍କ ଦୁର୍ନୀତିର ଖୁଲାସା କରିବା ପରେ ଯେବେ ଏବିଭିପି ଛାତ୍ରଙ୍କ ଛାତ୍ରବୃତ୍ତିକୁ ନେଇ ଆନ୍ଦୋଳନ କରୁଥିଲେ ସେହି ସମୟରେ ଜେଏନୟୁର ସୁରକ୍ଷା ଗାର୍ଡ ଭାବେ ମୁତୟନ ରେକ୍ଟରର ଗୁଣ୍ଡାମାନେ ଛାତ୍ରଙ୍କ ଉପରେ ହମଲା କରିଥିଲେ।

Related Posts