ନୂଆ ବର୍ଷରୁ ମହଙ୍ଗା ହେବ ଟିଭି ଦେଖା !

ନୂଆ ବର୍ଷରୁ ଆପଣଙ୍କର ଟିଭି ଦେଖିବା ଖର୍ଚ୍ଚ ମହଙ୍ଗା ହୋଇପାରେ । ବଢିପାରେ ମାସିକିଆ କେବୁଲ ଓ ଡିଟିଏଚ୍‌ ବିଲ୍‌ । ଏବେ ଆପଣ ଯେତେ ସଂଖ୍ୟାରେ ଚ୍ୟାନେଲ ଦେଖୁଛନ୍ତି, ସେତିକି ଦେଖିବା ପାଇଁ ଆପଣଙ୍କୁ ଦୁଇ ଗୁଣା ଟଙ୍କା ଗଣିବାକୁ ପଡ଼ିପାରେ । କାରଣ ଜାନୁଆରୀରୁ ଆଉ ମିକ୍ସଡ୍‌ ପ୍ୟାକେଜ୍‌ ନୁହେଁ, ଆପଣଙ୍କୁ ନିଜ ଫେଭରାଇଟ୍‌ ଚ୍ୟାନେଲ୍‌ ପାଇଁ ଅଲଗା ଅଲଗା ଦାମ୍‌ ଦେବାକୁ ପଡ଼ିବ ।

ଏନେଇ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ -ଟ୍ରାଇ ବିଜ୍ଞପ୍ତି ପ୍ରକାଶ କରିଛି । ଦର୍ଶକଙ୍କୁ ନିଜ ପସନ୍ଦ ଚ୍ୟାନେଲ୍‌ ବାଛିବାକୁ ହେବ, କେବଳ ସେହି ଚ୍ୟାନେଲ୍‌ ପାଇଁ ହିଁ ଟଙ୍କା ଦେବାକୁ ନୂଆ ନିୟମ ହୋଇଛି । କିନ୍ତୁ ଚ୍ୟାନେଲ୍‌ ଗୁଡ଼ିକର ଯାହା ମୂଲ୍ୟ ସ୍ଥିର ହୋଇଛି, ହିସାବ କଲେ ମାସିକ ଦାମ ବର୍ତ୍ତମାନ ଠାରୁ ଢେର ଅଧିକ ହେବ ।

ଅଧିକାଂଶ ଚ୍ୟାନେଲ୍‌ର ମୂଲ୍ୟ ୫ ଟଙ୍କାରୁ ୧୯ ଟଙ୍କା ମଧ୍ୟରେ ରହିଥିବା ବେଳେ, ବଡ଼ ବ୍ରଡ୍‌କାଷ୍ଟର ଗ୍ରୁପ୍‌ ନିଜର ଚ୍ୟାନେଲ୍‌ ଗୁଡ଼ିକୁ ନେଇ ଗୋଟିଏ ଗୋଟିଏ ପ୍ୟାକେଜ୍‌ କରି ୫୦ ଟଙ୍କା ପର୍ଯ୍ୟନ୍ତ ଦାମ ରଖିଛନ୍ତି । ଗ୍ରାହକ ନୂତନ ବ୍ୟବସ୍ଥା ବିଷୟରେ ସଚେତନ ହୋଇନଥିବା ବେଳେ, ଆସନ୍ତା ଦୁଇ ସପ୍ତାହ ଭିତରେ ଏହାକୁ କେମିତି ଲାଗୁ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେବୁଲ ଅପରେଟର ।

Related Posts