
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ପରେ ଭାରତୀୟ ଜନତା ପାର୍ଟି ଧିରେ ଧିରେ ଦୂର୍ବଳ ହେବାରେ ଲାଗିଛି । ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ନେତା ମାନେ ଏବେ ପୁଣି ଥରେ ଟିଏମସିରେ ସାମିଲ ହେବାକୁ ମନ ବଳାଉଛନ୍ତି। ନିକଟରେ ବରିଷ୍ଠ ନେତା ମୁକୁଲ ରୟ ଟିଏମସିକୁ ଫେରିବା ପରେ ଏବେ ଆହୁରି ଅନେକ ନେତା ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାର ଏକ ଉଦାହରଣ ସୋମବାର ଦିନ ଦେଖିବାକୁ ମିଳିଛି। ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ଦିନ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ରାଜଭବନରେ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ଭେଟିବାକୁ ଆସିଥିଲେ। ତେବେ ଏହି ସମୟରେ ତାଙ୍କ ସହିତ ବିଜେପିର ୭୪ ବିଧାୟକଙ୍କ ମଧ୍ୟରୁ ୨୪ ଜଣ ଆସିନଥିଲେ। ତେବେ ୨୪ ବିଜେପି ବିଧାୟକ କାହିଁକି ଆସିଲେ ନାହିଁ ତାକୁ ନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କୁହାଯାଉଛି ଯେ ଦଳର ବିଧାୟକ ମାନେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱ ସ୍ବୀକାର କରିବା ପାଇଁ ନାରାଜ ଅଛନ୍ତି। ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଗତ ଡିସେମ୍ବରରେ ଶୁଭେନ୍ଦୁ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ସେ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରେ ଦଳରେ ତାଙ୍କର ପ୍ରଭାବ ଆହୁରି ବଢିଯାଇଥିଲା । ନିର୍ବାଚନ ପରେ ତାଙ୍କୁ ବିରୋଧୀ ଦଳର ନେତା ମଧ୍ୟ କରାଯାଇଥିଲା। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନେକ ବିଧାୟକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ବିଧାୟକ ଏବେ ଟିଏମସି ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ତଳେ ମୁକୁଲ ରୟ ବିଜେପି ଛାଡ଼ି ଟିଏମ୍ସିରେ ଯୋଗଦେବା ପରେ ରାଜୀବ ବାନାର୍ଜୀ ମଧ୍ୟ ବାରମ୍ବାର ଟିଏମ୍ସି ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ସେହିପରି ପୂର୍ବରୁ ଦୀପେନ୍ଦୁ ବିଶ୍ୱାସ, ସୋନାଲୀ ଗୁହା ଓ ସରଳା ମୁର୍ମୁ ମଧ୍ୟ ଦଳରେ ମିଶିବା ପାଇଁ ମମତାଙ୍କୁ ଗୁହାରି ଲଗାଇଛନ୍ତି। ଏପଟେ ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁମାନେ ବିଜେପି ଛାଡି ଟିଏମସିକୁ ଫେରିବାକୁ ଚାହୁଁଛନ୍ତି ସେ ନେଇ ବିଚାର କରାଯିବ।