ବୁର୍ଖା ପିନ୍ଧିଥିବାରୁ ବାର୍ଷିକ ପରୀକ୍ଷାରୁ ବଞ୍ଚିତ ହେଲେ ଦୁଇ ଛାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୁର୍ଖା ପିନ୍ଧିଥିବାରୁ ବାର୍ଷିକ ପରୀକ୍ଷାରୁ ବଞ୍ଚିତ ହେଲେ ଦୁଇ ଛାତ୍ରୀ । ସେପଟେ ପରୀକ୍ଷା ଦେବାକୁ ଅନୁମତି ଦେବା ପାଇଁ ଦୁଇ ଛାତ୍ର ବାରମ୍ବାର କର୍ତ୍ତୃପକ୍ଷଙ୍କ ଆଗରେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ବି ସେମାନଙ୍କ କଥାକୁ କର୍ଣ୍ଣପାତ କରିନାହାନ୍ତି। ସବୁ ପ୍ରକାରର ଉଦ୍ୟମ କରି ଫେଲ ମାରିବାରୁ ଛାତ୍ରୀ ଦ୍ୱୟ ବେଶ ଶାନ୍ତିଶୃଙ୍ଖଳାର ସହ କଲେଜରୁ ନିଜ ନିଜ ଘରକୁ ଚାଲି ଯାଇଛନ୍ତି। କର୍ଣ୍ଣାଟକାର ଉଡୁପିରେ ଏପରି ଘଟଣା ଘଟିଛି। ପୂର୍ବରୁ ଏଠାରେ କ୍ଲାସରୁମରେ ହିଜାବ ପିନ୍ଧିବା ଘଟଣାକୁ ନେଇ ବିବାଦ ହୋଇଥିଲା। ହିଜାବକୁ କ୍ଲାସରୁମରେ ଅନୁମତି ଦେବାକୁ ଦାବି କରି ଆଲିୟା ଅସାଦି ଓ ରେଶମା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ। ଏହାପରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେପଟେ ଆଜି ଆଲିୟା ଓ ରେଶମା ଦ୍ୱାଦଶ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ଦେବାକୁ ଉଡୁପିର ବିଦୋୟଦୟା ପିୟୁ କଲେଜରେ ପହଞ୍ଚିଥିଲେ। କଲେଜରେ ପହଞ୍ଚିବା ପରେ ସେମାନେ ପରୀକ୍ଷା ହଲକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ବୁର୍ଖାରେ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା। ଉଭୟ ବିଚଳିତ ହେବା ସହ ଦୀର୍ଘ ୪୫ ମିନିଟ ଧରି ପରୀକ୍ଷା ନିୟନ୍ତ୍ରକ ଓ କଲେଜ ପ୍ରିନ୍ସିପାଲଙ୍କୁ ବୁଝାଇଥିଲେ। ବୁର୍ଖା ସେମାନେ ଖୋଲି କେବଳ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ପ୍ରସ୍ତୁତ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ବୁଝାଇଥିଲେ। ହେଲେ ରାଜ୍ୟ ସରକାରଙ୍କ ବ୍ୟାନକୁ ହାଇକୋର୍ଟ କାଏମ ରଖିଥିବାରୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କର କୌଣସି କଥା ଶୁଣି ନଥିଲେ। ଶେଷରେ ଉଭୟ ନିରାଶ ହୋଇ ବେଶ ଶାନ୍ତିଶୃଙ୍ଖଳାର ସହ କଲେଜ ପରିସରରୁ ବାହାରକୁ ଚାଲି ଯାଇଥିଲେ। ଫଳରେ ଆଲିୟା ଓ ରେଶମା ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts