
ସାବରିମାଲା ମନ୍ଦିରରେ 50 ବର୍ଷରୁ କମ୍ ବୟସର ମହିଳାଙ୍କ ପ୍ରବେଶାଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏ ନେଇ ଜୋରଦାର ହଙ୍ଗାମା ହେଉଥିବାବେଳେ ବୁଧବାର ଭୋରରେ କେରଳର ପତନମତିତ୍ତା ଜିଲ୍ଲା ଅନ୍ତର୍ଗତ ସାବରିମାଲା ମନ୍ଦିରରେ ପ୍ରବେଶ କରି ଦୁଇ ଜଣ ୫୦ ବର୍ଷରୁ କମ୍ ବୟସ୍କ ମହିଳା ପୂଜାର୍ଚ୍ଚନା କରିଥିବା କୁହାଯାଇଛି । ଏହି କଥାକୁ କିନ୍ତୁ ପୋଲିସ ଅସ୍ୱୀକାର କରିଛି ।
ଏ କଥା ପ୍ରଘଟ ହେବା ପରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି ଓ ପୁଲିସ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଠୋର କରିଛି ।
ଋତୁସ୍ରାବ ବୟସ ଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍କୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ସାବରିମାଲା ମନ୍ଦିର ମଧ୍ୟକୁ ଏ ଦୁଇ ଜଣ ମହିଳା ପ୍ରବେଶ କରିଛନ୍ତି ।
ବିନ୍ଦୁ ନାମକ ଜଣେ ଓକିଲ ଓ କନକଦୁର୍ଗା ନାମକ ଜଣେ ସାମାଜିକକର୍ମୀ ଏକ ନ୍ୟୁଜ୍ ଚାନେଲ୍କୁ କହିଛନ୍ତି ଯେ ଭୋର୍ ୩ଟା ବେଳେ ସେମାନେ ପର୍ବତ ଚୂଡ଼ାରେ ଅବସ୍ଥିତ ପ୍ରଭୁ ଆୟପ୍ପାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେମାନେ ଦାବି କରୁଛନ୍ତି ଯେ ସେମାନେ ପୁରୁଷ ପୋଷାକ ପିନ୍ଧିଥିଲେ ଏବଂ ଡଜନେରୁ ଅଧିକ ସାଦା ପୋଷାକ ପିନ୍ଧିଥିବା ପୋଲିସ ସେମାନଙ୍କ ସାଙ୍ଗରେ ଯାଇଥିଲେ ।
ଏମାନେ ଗୋଟିଏ ଆମ୍ବୁଲାନ୍ସ୍ରେ ଆସିଥିଲେ ଏବଂ ପୋଲିସ ସତର୍କତାର ସହ ସେମାନଙ୍କ ଲାଗି ବନ୍ଦୋବସ୍ତ କରିଥିଲା । ଉଭୟ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଏକ ଫଟୋ ମଧ୍ୟ ରିଲିଜ୍ କରିଛନ୍ତି ।
ମନ୍ଦିର ପରିଚାଳନା କରୁଥିବା ଟ୍ରାଓ୍ଵାଙ୍କୋର୍ ଦେବସୋମ ବୋର୍ଡର ଅଧ୍ୟକ୍ଷ ଏ ପଦ୍ମକୁମାର କହିଛନ୍ତି ସେ ଏକଥା ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ପାଇଛନ୍ତି । ବୋର୍ଡ ସିସିଟିଭି କ୍ୟାମେରା ଭିଡ଼ିଓ ଯାଞ୍ଚ କରିବ ।
ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି ଘଟଣା ସଂକ୍ରାନ୍ତରେ ନିଶ୍ଚିତ ହେଲେ ଯାଇ ସେ ଯାହା କହିବେ ।