ୟୁକ୍ରେନ ଓ ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ | ରୁଷ ୟୁକ୍ରେନ ଉପରେ ହମଲା ଜାରି ରଖିଛି | ସେପଟେ ଯୁଦ୍ଧର ଏହି ପ୍ରଥମ ଦିନରେ ୟୁକ୍ରେନ ନିଜର ୧୩୭ ଜଣ ଙ୍କୁ ହରାଇଛି | ୟୁକ୍ରେନ ରାଷ୍ଟ୍ରପତି ରୁଷ ଆଗରେ ମୁଣ୍ଡ ନୁହଁଆଇବେନି ବୋଲି କହିଥିବା ବେଳେ, ରୁଷ ର ୟୁକ୍ରେନ ଉପରେ ଆକ୍ରମଣ ଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବର୍ଷିଛନ୍ତି | ଋଷକୁ ପରିଣାମ ଭୋଗିବାକୁ ହେବ ବୋଲି କଡା ଚେତାବନୀ ଦେଇଛନ୍ତି | ଏଥିପାଇଁ ଜି-ସେଭେନ ଦେଶ ଏକାଠି ହୋଇଛନ୍ତି । ଋଷର ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି ବାଇଡେନ । ଏଥିସହ ଋଷର ୪ଟି ବଡ ବ୍ୟାଙ୍କ ଉପରେ କଟକଣା ଲଗାଇଛନ୍ତି । ଏଥିସହ ଅନ୍ୟାନ୍ୟ କଟକଣା ଲଗାଇ ଋଷର ବ୍ୟବସାୟ ୟୁରୋ ଏବଂ ଡଲାରରେ ସୀମିତ ରଖିଛନ୍ତି ।
ତେବେ ପୁଟିନଙ୍କ ସହ ତାଙ୍କର କଥା ହେବାର କୌଣସି ଯୋଜନା ନାହିଁ । ପୁଟିନ ପୂର୍ବ ସୋଭିଏତ ସଂଘକୁ ପୁନର୍ବାର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । କିନ୍ତୁ ପୁଟିନଙ୍କର ଏହି ଆଶା ପୂରଣ ହେବନି । ଋଷ ବିରୋଧରେ ନାଟୋ ମଜବୁତ ହେବ । ଏଥିପାଇଁ ଜର୍ମାନୀକୁ ଆମେରିକା ଅତିରିକ୍ତ ଫୋର୍ସ ପଠାଇବ ବୋଲି ବାଇଡେନ କହିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଆମେରିକା ୟୁକ୍ରେନକୁ ସେନା ପଠାଇବ ନାହିଁ । ଏହାର ଅର୍ଥ ୟୁକ୍ରେନ ସେନାକୁ ଋଷ ବିରୋଧରେ ଲଢିବାକୁ ହେବ ।
ନାଟୋ ଦେଶର ସମର୍ଥନ ୟୁକ୍ରେନ ସହିତ ରହିଛି । ଏହି ସମୟ ଆମ ପାଇଁ ଘଡିସନ୍ଧି ମୁହୂର୍ତ ବୋଲି ବାଇଡେନ କହିଛନ୍ତି । ସେହିପରି ଋଷ ୟୁକ୍ରେନ ଉପରେ ସାଇବର ଆଟାକ କରୁଛି । ଏହାକୁ କଡା ଜବାବ ଦେବାକୁ ଆମେରିକା ମଧ୍ୟ ପ୍ରସ୍ତୁତି କରିଛି ବୋଲି ସେ କହିଛନ୍ତି ।
ଦେଶକୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ରୁଷ ପୂର୍ବଭଳି ୟୁନିଏନ ସୋଭିଏତ ପ୍ରତିଷ୍ଠା କରିବାକୁ ଚାହୁଁଛି। ସବୁ ପରାମର୍ଶକୁ ବେଖାତିର କରି ରୁଷ ଆକ୍ରମଣ ପନ୍ଥାକୁ ବାଛିଛି। ଏବେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ନାଟୋ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ୟୁରୋପରେ ଆମେରିକା ସୈନ୍ୟ ମୁତୟନ ହେବେ। କିନ୍ତୁ ୟୁକ୍ରେନ ଯାଇ ସେମାନେ ରୁଷ ସହ ଲଢ଼ିବେ ନାହିଁ।
ରୁଷ ବିରୋଧରେ ଅତ୍ୟନ୍ତ କଠୋର କଟକଣା ଲାଗୁ କରିଛୁ ଓ ଆଗକୁ ଆହୁରି କଟକଣା ଲାଗିବ। ନାଟୋର ୩୦ ସଦସ୍ୟ ରାଷ୍ଟ୍ର ମିଳିତ ଭାବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ନିଷ୍ପତ୍ତି ନେବେ ବୋଲି ବାଇଡେନ କହିଛନ୍ତି।
