ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ଏହାରି ମଧ୍ୟରେ ଯୁଦ୍ଧ କୁ ମାସେ ପୁରିଗଲାନି । ତଥାପି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି । ରୁଷ ମିସାଇଲ୍ ମାଡ଼ ସାଙ୍ଗକୁ ଫସଫରସ ବୋମା ଫିଙ୍ଗୁଥିବା ୟୁକ୍ରେନ୍ ଅଭିଯୋଗ କରୁଛି। ଯୁଦ୍ଧରେ ୟୁକ୍ରେନ୍‌ର ୨୦ରୁ ଅଧିକ ସହର ନଷ୍ଟ ହୋଇଛି। ଯୁଦ୍ଧ ଆରମ୍ଭ ଠାରୁ ଏଯାବତ ୧୩୯ ପିଲାଙ୍କ ମୃତ୍ୟୁ ହୋଇଛି। ୨୦୫ ଜଣ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ଦାବି କରିଛି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉପରେ ବର୍ଷିଛନ୍ତି ୟୁକ୍ରେନ୍‌ର ସାଂସଦ ଇନ୍ନା ସୋଭସୁନ୍‌।

ସେ ଟ୍ୱିଟ୍‌ କରି ଆମେରିକାର ରାଷ୍ଟ୍ରପତି ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଆମେରିକାଠାରୁ ଯଥେଷ୍ଟ ସହାୟତା ମିଳିଲା ଭଳି ୟୁକ୍ରେନ୍‌ବାସୀ ଅନୁଭବ କରୁନାହାନ୍ତି। ଆମେରିକା ରାଷ୍ଟ୍ରପତି ମଧ୍ୟ ତାଙ୍କୁ ସହାୟତା ଦେବେ ବୋଲି ପଦେ ହେଲେ କହିନାହାନ୍ତି। ପୋଲାଣ୍ଡଙ୍କୁ ଭରସା ଦେଇଛନ୍ତି, ଏଥିପାଇଁ ମୁଁ ଖୁସି। କିନ୍ତୁ ୱାର୍ସରେ ନୁହେଁ ଖାରକିଭ୍‌ ଓ କିଭ୍‌ ବୋମା ଫୁଟୁଛି।’ ରୁଷ ଆକ୍ରମଣର ମୁକାବିଲା କରିବା ପାଇଁ ୟୁକ୍ରେନ୍‌କୁ ସାହାଯ୍ୟ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଜୋ ବାଇଡେନ୍‌ ବିଶେଷ ଆଖିଦୃଷ୍ଟିଆ ଭଳି କିଛି କରୁ ନ ଥିବାରୁ ୟୁକ୍ରେନ୍‌ ସାଂସଦ ତାଙ୍କୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଷ୍ଟ୍ରପତି ବାଇଡେନ୍‌ ପୋଲାଣ୍ଡରେ ୟୁକ୍ରେନର ଶୀର୍ଷସ୍ତରୀୟ ମନ୍ତ୍ରୀମାନଙ୍କୁ ଭେଟିଥିଲେ। ଏକ ଜନସମାବେଶରେ ଉଦ୍‌ବୋଧନ ଦେବା ବେଳେ ପୁଟିନ୍‌ଙ୍କୁ ସେ ନରହନ୍ତା ବୋଲି କହିଥିଲେ। ଏଥିସହ ‘ନାଟୋ’ ପରିସୀମାର ସାମାନ୍ୟତମ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା କଥା କଳ୍ପନା ବି କରନାହିଁ। ଏ ଯୁଦ୍ଧ ରୁଷ ରଣନୀତିର ବିଫଳତାକୁ ଦର୍ଶାଇ ସାରିଛି। ରୁଷ ଜନସାଧାରଣ ଆମର ଶତ୍ରୁ ନୁହନ୍ତି। ଏ ବ୍ୟକ୍ତି ଜଣକ କ୍ଷମତାରେ ରହିପାରିବେ ନାହିଁ ବୋଲି ବାଇଡେନ୍‌ କହିଥିଲେ।