ୠଣ ଟଙ୍କା ସୁଝି ନ ପାରି ଶିଶୁକନ୍ୟାକୁ ବିକିଦେଲା ବାପା, ଜେଜେର ଅଭିଯୋଗ ପରେ ଉଦ୍ଧାର କଲା ପୁଲିସ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବାପା ମାଆଙ୍କ ପାଖରେ ଶିଶୁ ନିଜକୁ ସବୁଠାରୁ ସୁରକ୍ଷିତ ବୋଲି ମନେ କରିଥାଏ । ହେଲେ ଭାଗ୍ୟର ବିଡମ୍ବନା ଏପରି ଯେ ଟଙ୍କା ପାଇଁ ନିଜ ଶିଶୁକୁ ବିକିବା ପାଇଁ ମଧ୍ୟ ପଛାଉ ନାହିଁ ନିଷ୍ଠୁର ବାପା । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବା ପାଇଁ ମିଳିଛି ବିଂଝାରପୁର ଅଞ୍ଚଳରେ । ତେବେ ମାତ୍ର ୫ ହଜାର ଟଙ୍କା ସୁଝିନପାରି ନଥିବାରୁ ନିଷ୍ଠୁର ବାପା ଏପରି କରିଥିବାର ସୂଚନା ମିଳିଛି । ଏନେଇ ଶିଶୁ କନ୍ୟାର ଜେଜେ ବାପା ବିଞ୍ଝାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ ହେବା ପରେ ବିଞ୍ଝାରପୁର ପୁଲିସ ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ । ରମେଶ ସବୁବେଳେ ମଦ ପିଇ ପତ୍ନୀ ଓ ପୁଅଝିଅଙ୍କୁ ମାରଧର କରନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସେଥିପାଇଁ ପୂର୍ବରୁ ବଡ଼ଝିଅ ଓ ପୁଅଙ୍କୁ ଜେଜେ ରବୀନ୍ଦ୍ର କୁମାର ବାରିକ ନିଜ ଗ୍ରାମ ମଲିଆକୁ ନେଇ ନିଜ ପାଖରେ ରଖିଥିଲେ। ଅଢ଼େଇବର୍ଷର ସାନଝିଅ ପ୍ରିୟଙ୍କା ବାରିକ ତାଙ୍କ ବାପାମା’ଙ୍କ ପାଖରେ ରହୁଥିଲେ। ଏକମାସ ପୂର୍ବେ ରମେଶ ତାଙ୍କ ପତ୍ନୀ ସସ୍ମିତାଙ୍କୁ ମାଡ଼ ମାରି ଘରୁ ତଡ଼ିଦେଇ ସାନଝିଅ ପ୍ରିୟଙ୍କାଙ୍କୁ ପାଖରେ ରଖିଥିଲେ। ତେବେ ଋଣ ଆଣିଥିବା ୫ ହଜାର ଟଙ୍କା ସୁଜି ନ ପାରିବାରୁ ଶେଷରେ ନିଜ ଶିଶୁ କନ୍ୟାକୁ ଲିଟୁ ଜେନାଙ୍କୁ ବିକ୍ରି କରିଦେଇଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅପରି ପକ୍ଷେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଛନ୍ତି ।

Related Posts