ପ୍ରଥମଥର ସାସଂଦ ହୋଇ କେନ୍ଦ୍ର ମନ୍ତ୍ରୀ : ବୈଷ୍ଣବଙ୍କୁ ରେଳବାଇ, ଟୁଡୁଙ୍କୁ ମିଳିଲା ଟ୍ରାଇବାଲ ଆଫାୟାର୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ୧୨ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ୪୩ ନୂଆ ମନ୍ତ୍ରୀ ସାମିଲ ହୋଇଥିଲେ। ଏଥିରେ ଓଡିଶାରୁ ଦୁଇ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଓ ମୟୁରଭଞ୍ଜରୁ ଲୋକସଭା ସାଂସଦ ଥିବା ବିଶେଶ୍ୱର ଟୁଡୁ । ତେବେ ଏହି ଦୁଇଜଣ ପ୍ରଥମ ଡିଆଁରେ କେନ୍ଦ୍ରମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି । ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ସାସଂଦ ଭାବେ ନିର୍ବାଚିତ ହୋଇଛନ୍ତି ବିଶେଶ୍ୱର ଟୁଡୁ । ସେ ପେଶାରେ ଜଣେ ଯନ୍ତ୍ରୀ ଥିବା ବେଳେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଓ ଆରଏଏସ୍‍ର ଜଣେ ପ୍ରଭାବଶାଳୀ ସଂଗଠକ ଥିଲେ।  ତେଣୁ ତାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ବିଶେଶ୍ୱର ଟୁଡୁ ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ୬ଜଣ ବିଜେପି ବିଧାୟକ ବି ଵିଜୟୀ ହୋଇଥିଲେ । ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ମଧ୍ୟରେ ଓଡିଶା ସାଂସଦଙ୍କ ସାମିଲ ନେଇ ଡାର୍କ ହର୍ଷ ଭାବେ ଟୁଡୁଙ୍କ ନାମ ସାମ୍ନାକୁ ଆସିଥିଲା । ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇ ଜଣେ ଆଦିବାସୀ ନେତାଭାବେ ସେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହେବା ଓଡିଶା ପାଇଁ ଗୌରବର ବିଷୟ ।

         ୧୯୯୪ ବ୍ୟାଚ୍‍ର ଓଡିଶା କ୍ୟାଡରର ଏହି ଆଇଏଏସ୍‍ ଅଫିସର ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ପ୍ରଥମଥର ପାଇଁ ସଂସଦକୁ ଯାଇଛନ୍ତି । ତାଙ୍କର ଚାକିରିକାଳ ମଧ୍ୟରେ ବାଜପେୟୀଙ୍କ ସରକାରରେ ପିଏମ୍‍ଓରେ କାମ କରିବାର ସୁଯୋଗ ପାଇବା ସହିତ ପରବର୍ତ୍ତୀ ସମୟରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଇଥିଲେ । ୨୦୧୦ରେ ସେ ଆଇଏଏସ୍‍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚିତ ହୋଇଥିଲେ। ୨୦୧୯ ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ନଥିବା ସତ୍ତ୍ଵେ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଭୋଟରେ ସିଏ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ଏହାକୁ ନେଇ ବେଶ୍‍ ଚର୍ଚ୍ଚା ହୋଇଥିଲା ।ଏବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ପୁଣି ଚର୍ଚ୍ଚାରେ ଅଛନ୍ତି ବୈଷ୍ଣବ।

       ତେବେ ଏହି ଅଣଓଡିଆ ଅଫିସର ଜଣଙ୍କ ଓଡିଶାରୁ ପ୍ରଥମଥର ପାଇଁ ରାଜ୍ୟସଭାକୁ ଯିବା ସହିତ କ୍ୟାବିନେଟ୍‍ ମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ଶାସନ କାଳରେ କାହ୍ନୁଚରଣ ଲେଙ୍କା ଓ ଭକ୍ତ ଚରଣ ଦାସ ରେଳବାଇର ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଇଥିଲେ। ବିଜୁ ଜନତା ଦଳ ସର୍ବଦା ରେଳବାଇ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରୁଥିବା ଅଭିଯୋଗ କରୁଛି। ଏବେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ବିଜେପି ସାସଂଦ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି। ତେବେ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏହା କେଉଁ ପ୍ରକାର ପ୍ରଭାବ ପକାଉଛି ତାହା ସମୟ କହିବ। 

         ଅପରପକ୍ଷରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଥିବା ୧୨ଜଣ ମନ୍ତ୍ରୀଙ୍କ  ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ରହିଛନ୍ତି । ଷଡଙ୍ଗୀ କେନ୍ଦ୍ରରେ ଏମ୍‍ଏସ୍‍ଏମଇ ମନ୍ତ୍ରାଳୟ ଦାୟିତ୍ୱ ନିର୍ବାହ କରୁଥିଲେ । ବର୍ତ୍ତମାନ ଅନ୍ୟତମ ଓଡିଆ ଭାବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଛନ୍ତି । ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି । ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଧର୍ମେନ୍ଦ୍ରଙ୍କ ହାତରୁ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ କାଢି ନିଆଯାଇ ତାଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗର ଦାୟିତ୍ୱ ଦିଆଯାଇଛି । ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ଯୋଗାଯୋଗ, ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବା ବେଳେ ବିଶେଶ୍ବର ଟୁଡୁଙ୍କ ଭାଗରେ ପଡିଛି ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦ ।

Related Posts