କାହିଁକି ବାଦ୍ ପଡିଲେ ପ୍ରତାପ ଷଡଙ୍ଗୀ , ପ୍ରଦର୍ଶନରେ ଖୁସି ନଥିଲେ କି ମୋଦୀ ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାଲେଶ୍ଵର ସାସଂଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଇସ୍ତଫାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। ପୂର୍ବରୁ ଚର୍ଚ୍ଚାରେ ନଥିବା ସତ୍ତ୍ଵେ ହଠାତ୍ କାହିଁକି ଶ୍ରୀ ଷଡଙ୍ଗୀଙ୍କ ଭଳି ଜଣେ ପୁରୁଖା ନେତା ମୋଦୀ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲେ ଏବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ପ୍ରତାପ ଷଡଙ୍ଗୀଙ୍କ ପ୍ରଦର୍ଶନରେ ମୋଦୀ ଶାହା ଖୁସି ନଥିଲେ ନା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ସଙ୍ଗଠନ ଦାୟିତ୍ବ ଦିଆଯିବ। ତେବେ କିଛି ରାଜନୈତିକ ବିଶ୍ଲେଷକଙ୍କ ମତ ହେଉଛି ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଦର୍ଶନ ସେତେଟା ଖାସ୍ ନଥିଲା। ୨୦୧୯ ଲୋକସଭା ନିର୍ବାଚନରେ ବାଲେଶ୍ଵର ଲୋକସଭା ଆସନରୁ ନିର୍ବାଚିତ ହୋଇଯିବା ପରେ ଦିଲ୍ଲୀ ଦରବାରରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। 

        ଏମିତିକି ତାଙ୍କୁ ଜାତୀୟ ଗଣମାଧ୍ୟମରେ ଓଡିଶାର ମୋଦୀ ବୋଲି କୁହାଗଲା। କିନ୍ତୁ କରୋନା ମହାମାରୀ ଭାରତରେ ପ୍ରବେଶ କରିବା ପରେ ସମସ୍ତଙ୍କର ନଜର ଥିଲା ମନ୍ତ୍ରୀ କିପରି ନିଜର କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେବେ। ପ୍ରତାପ ଷଡଙ୍ଗୀଙ୍କ ହାତରେ ମତ୍ସ୍ୟ ଓ MSME ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା। ମହାମାରୀ ଯୋଗୁଁ ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଅଣସଙ୍ଗଠିତ କ୍ଷେତ୍ରରେ ରୋଜଗାର ଠପ୍ ପଡିଗଲା। ତାଲାବନ୍ଦ ଯୋଗୁଁ ଅନେକ ଲୋକ ରୋଜଗାର ହରାଇଲେ। ଏହି ସମୟରେ MSME ଦାୟିତ୍ବରେ ଥାଇ ମଧ୍ୟ ସେତେଟା ଆଖି ଦୃଶିଆ କାମ କରି ପାରିନଥିଲେ। ସେହିପରି ଦୁଇ ବର୍ଷ କେନ୍ଦ୍ରରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ମନ୍ତ୍ରୀ ରହିବା ସତ୍ତ୍ୱେ ବାଲେଶ୍ଵର ନିର୍ବାଚନ ମଣ୍ଡଳୀ ପାଇଁ ଗୋଟେ ୨ଟା ପ୍ରକଳ୍ପକୁ ବାଦ୍ ଦେଲେ ସେମିତି କିଛି ବଡ ପ୍ରକଳ୍ପ ଆଣି ପାରି ନଥିଲେ। ମୋଦୀ ମନ୍ତ୍ରିମଣ୍ଡଳରୁ ବଳି ପଡିବା ପଛରେ ଆଉ କିଛି ଦିଗକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

       କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ନିର୍ବାଚନ ମଣ୍ଡଳୀର ଲୋକେ ମନ୍ତ୍ରୀଙ୍କ ସହଯୋଗର ଆବଶ୍ୟକତା ଥିଲା ସେହି ସମୟରେ ସେ ଦିଲ୍ଲୀରେ ଥିଲେ। ବିରୋଧୀ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ ମନ୍ତ୍ରୀ ହେବା ପରେ ଶ୍ରୀ ଷଡ଼ଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଭୁଲି ଯାଇଛନ୍ତି। ଏମିତିକି ତାଙ୍କ ନାଁ ରେ ନିଖୋଜ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହାର ପ୍ରତିକ୍ରିୟା ରଖି ଶ୍ରୀ ଷଡ଼ଙ୍ଗୀ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ଦେଖାଦେଇଥିଲା । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ ଯେ ,”ଦେଶର ମନ୍ତ୍ରୀ ଭାବରେ ଦେଶର କଥା ଆଗ ବୁଝିବି ନା ବାଲେଶ୍ଵର କଥା ବୁଝିବି। ” ସେହିପରି ନିଜକୁ ଫକିର ବୋଲି କହୁଥିବା ସାସଂଦ ପ୍ରତାପ ଷଡ଼ଙ୍ଗୀ ନୂଆଦିଲ୍ଲୀରେ ସ୍କୁଟିରେ ବୁଲୁଥିବାର ଚିତ୍ର ଭାଇରାଲ ହୋଇଥିଲା। ଏହି ଭାଇରାଲ ଫଟୋକୁ ନେଇ ମଧ୍ୟ ସେ ଟ୍ରୋଲ୍ ହୋଇଥିଲେ। ଏସବୁ ବ୍ୟତୀତ ୨୦୨୦ ବାଲେଶ୍ଵର ସଦର ଆସନ ଉପ ନିର୍ବାଚନ ତାଙ୍କର ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

        ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ଵର ଲୋକସଭା ଆସନ ସାଙ୍ଗକୁ ସଦର ଓ ନୀଳଗିରି ବିଧାନସଭା ଆସନ ହାତେଇବାରେ ବିଜେପି ସଫଳ ହୋଇଥିଲା। କିନ୍ତୁ ବାଲେଶ୍ଵର ସଦର ବିଧାୟକଙ୍କ ଅକାଳ ବିୟୋଗ ପରେ ୨୦୨୦ ନଭେମ୍ବର ୩ ରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହି ଉପ ନିର୍ବାଚନ ପ୍ରତାପ ଷଡ଼ଙ୍ଗୀଙ୍କ ସମ୍ମାନ ଓ ପତିଆରାର ପ୍ରଶ୍ନ ହୋଇଥିଲା। କିନ୍ତୁ ବିଜେଡି ସହଜରେ ବାଲେଶ୍ଵର ଆସନରେ ବିଜୟୀ ହୋଇଥିଲେ। ତେବେ ବିଜେଡିର ଏହି ବିଜୟକୁ ଶୀର୍ଷ ନେତୃତ୍ୱ ସହଜରେ ଗ୍ରହଣ କରି ପାରି ନଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ରିପୋର୍ଟ କାର୍ଡକୁ  ନେଇ ପ୍ରଧାନମନ୍ତ୍ରୀ ମୋଦୀ ନାଖୁସ୍ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ ଆରଏସଏସ ବିଚାର ଧାରା ଏବଂ ନିର୍ମଳ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡିର ହେଭିୱେଟ୍ ନେତା ରବୀନ୍ଦ୍ର ଜେନାଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Related Posts