ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ତେବେ ରାଜ୍ୟର ଆକାଂକ୍ଷୀ ଜିଲ୍ଲାମାନଙ୍କୁ କେନ୍ଦ୍ରମନ୍ତ୍ରୀମାନଙ୍କର ଗସ୍ତ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଆଜି ମାଲାକାନଗିରି ଜିଲ୍ଲା ଗସ୍ତ କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନରେ ବିଶାଖାପାଟଣାରୁ ଆସି କୋରାପୁଟ ରେଳ ଷ୍ଟେସନରେ ପହଂଚିଥିଲେ ରେଳମନ୍ତ୍ରୀ । ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ସହ କୋରାପୁଟ ବିଜେପି ଶାଖା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସିଧା ମାଲକାନଗିରି ଜିଲ୍ଲା ଅଭିମୁଖେ ବାହାରିଛନ୍ତି ରେଳମନ୍ତ୍ରୀ । ସେପଟେ ଏହି କେନ୍ଦ୍ରମନ୍ତ୍ରୀ ମାନଙ୍କ ଗସ୍ତକୁ ନେଇ ଜୋରଦାର ହୋଇଛି ବିଜେଡି-ବିଜେପି ରାଜନୀତି । କାରଣ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ଗସ୍ତ କରୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ପ୍ରବର୍ତିତ ଯୋଜନା ଏସବୁ ଜିଲ୍ଲାରେ କିଭଳି କାର‌୍ୟ୍ୟକାରୀ ହେଉଛି ତାର ସମୀକ୍ଷା କରୁଛନ୍ତି । ନୂଆପଡା, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗିର, ଢେଙ୍କାନାଳ, କୋରାପୁଟ ଓ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିବାବେଳେ କୋରାପୁଟରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି ସଂଜୀବ ବାଲିୟାନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ କରୁଥିବାବେଳେ ଅର୍ଜୁନ ମୁଣ୍ଡା କଳାହାଣି, ପ୍ରହଲ୍ଲାଦ ସିଂ ପଟେଲ ଗଜପତି, ସାଧ୍ୱୀ ନିରଞ୍ଜନ ଜ୍ୟୋତି ବଲାଙ୍ଗିର, ସତ୍ୟପାଲ ସିଂ ବାଘେଲ ନୂଆପଡା ଜିଲ୍ଲା ଗସ୍ତ କରୁଛନ୍ତି । ଗତକାଲି ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ସମୀକ୍ଷା କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ସେହିପରି କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ ରାୟଗଡା ଓ ସୁବାସ ସରକାର କନ୍ଧମାଳ ଜିଲ୍ଲା ଗସ୍ତ କରୁଛନ୍ତି । ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଏଭଳି ଗସ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଆସୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।