20ରେ କୁଲଦୀପ ସେଙ୍ଗରଙ୍କୁ ଦଣ୍ଡ

(ସତ୍ୟପାଠ ବ୍ୟୁରୋ) 2017ର ବହୁଚର୍ଚ୍ଚିତ ଉନ୍ନାଓ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଉତ୍ତର ପ୍ରଦେଶ ବିଜେପିର ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦଣ୍ଡ ବିଧାନ ଡିସେମ୍ବର ୨୦କୁ ଘୁଞ୍ଚିଲା । ୨୦୧୭ ନିର୍ବାଚନରେ ସେଙ୍ଗରଙ୍କ ସତ୍ୟପାଠର କପି ମାଗିଛନ୍ତି କୋର୍ଟ ।

ଦିଲ୍ଲୀର ତିସହଜାରୀ କୋର୍ଟ ସେଙ୍ଗରଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାରେ ଜଣେ ମହିଳା ଅଭିଯୁକ୍ତ ଶଶୀ ସିଂହଙ୍କୁ ଦୋଷମୁକ୍ତ ହୋଇଥିଲେ । ହେଲେ ମାମଲାରେ ଚାର୍ଜସିଟ୍ ଦାଖଲ କରିବାରେ ଡେରି କରିଥିବାରୁ ସିବିଆଇକୁ ଭର୍ତ୍ସନା କରିଛନ୍ତି କୋର୍ଟ । କୁଲଦୀପ ସେଙ୍ଗରଙ୍କୁ ଆଇପିସି ଧାରା 376, ସେକସନ 5 ସି ଓ ପୋକସୋ ଆକ୍ଟ ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ମୋବାଇଲ ଲୋକେସନକୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି କୋର୍ଟ । ବିଧାୟକ ସେଙ୍ଗର ଜଣେ ପ୍ରଭାବଶାଳି ବ୍ୟକ୍ତି । ଆଉ ପୀଡିତା ଗାଁ ଝିଅ ହୋଇଥିବାରୁ ମାମଲା ରୁଜୁ କରିବାରେ ଡେରି ହୋଇଛି ବୋଲି କୋର୍ଟ ରାୟ ଶୁଣାଇ କହିଛନ୍ତି । ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ପରେ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା ।  ସିବିଆଇ ଚାର୍ଜସିଟ ଦାଖଲ କରିବାରେ ଡେରି କରିଥିବାରୁ ହିଁ ସେଙ୍ଗରଙ୍କ ବିରୋଧରେ ଦୀର୍ଘ ଦିନ ଦରି ଶୁଣାଣି ଚାଲିଥିଲା ।

ସୂଚନା ଅନୁସାରେ 2017ରେ ଜଣେ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିଲେ ବିଧାୟକ କୁଲଦୀପ ସେଙ୍ଗର । ସେତେବେଳେ ପୀଡିତା ଥିଲେ ନାବାଳିକା । ଉତ୍ତର ପ୍ରଦେଶର ବାଙ୍ଗରମାଉ ବିଧାନସଭା ଆସନରୁ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିବା ସେଙ୍ଗରଙ୍କୁ ଏହି ଘଟଣା ପରେ ଅଗଷ୍ଟ 2019ରେ ବିଜେପିରୁ ବହିଷ୍କୃତ କରାଯାଇଥିଲା । ଏହି ମାମଲାରେ ଶଶି ସିଂହ ନାମକ ମହିଳା ଥିଲେ ସହ ଅଭିଯୁକ୍ତ । ଚଳିତ ବର୍ଷ ଅଗଷ୍ଟ 9 ତାରିଖରେ ସେଙ୍ଗର ଓ ସିଂହଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଅପହରଣ, ବଳାତ୍କାର ଓ ପୋକ୍ସ ଆଇନ ସଂପର୍କିତ ବିଭିନ୍ନ ଧାରା ଅନୁସାରେ ଚାର୍ଜଫ୍ରେମ କରିଥିଲେ କୋର୍ଟ । ମାମଲାର ରୁଦ୍ଧଦ୍ବାର ଶୁଣାଣି ହୋଇଥିଲା । ଦୁଷ୍କର୍ମ ପୀଡିତା ଯୁବତୀଙ୍କ କାର୍ ଉପରେ ମରଣାନ୍ତକ ଆକ୍ରମଣ ବି ହୋଇଥିଲା । ଏହି ବର୍ଷ ଜୁଲାଇ 28 ତାରିଖରେ ପୀଡିତା ଯାଉଥିବା ଏକ କାର୍‌କୁ ଧକ୍‌କା ଦେଇଥିଲା ଟ୍ରକ୍ । ଏଥିରେ ପୀଡିତା  ଗୁରୁତର ଭାବେ ଆହତ ହେବା ସହ ତାଙ୍କର ଦୁଇ ସଂପର୍କୀୟାଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର । ପରେ ପୀଡିତାଙ୍କ ଅନୁରୋଧ ପରେ ମାମଲାର ଶୁଣାଣି ଲକ୍ଷ୍ନୌରୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ  ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Related Posts