ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଲୋକଙ୍କ ଆଗରେ ବିଭିନ୍ନ ପ୍ରତିଶୃତି ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ କୃଷକମାନଙ୍କ ପାଇଁ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ କୃଷକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ତେବେ କୃଷକମାନଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ ଏବଂ ସୁଧ ମୁକ୍ତ ବୀମା ଏବଂ ପେନସନ ସୁବିଧା ସମାଜବାଦୀ ପାର୍ଟି ଯୋଗାଇଦେବାର ଘୋଷଣା କରିଛି । ସେପଟେ ଶସ୍ୟକୁ ହାତରେ ରଖି ଭାରତୀୟ ଜନତା ପାର୍ଟିକୁ ହଟାଇବା ପାଇଁ କୃଷକଙ୍କ ଆଗରେ ଅଖିଳେଶ ଯାଦବ ପ୍ରତିଶୃତି ଦେଇଛନ୍ତି । ଏହା ସହ ଯେଉଁମାନେ କୃଷକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ତାଙ୍କୁ ଆମେ ପରାସ୍ତ କରିବୁ ବୋଲି ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ କୃଷକଙ୍କୁ କହିଛନ୍ତି ।

ସେପଟେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜନୈତିକ ଦଳ ନିର୍ବାଚନରେ ଜିତିବା ପାଇଁ ନିଜର ସମସ୍ତ ଶକ୍ତିକୁ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ନେତାଙ୍କ ଦଳ ବଦଳି ପରାମ୍ପରା ମଧ୍ୟ ଚାଲିଛି । ଅନ୍ୟପଟେ ଶାସକ ଦଳର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶିବା ପରେ ବିଜେପି ଚିନ୍ତାରେ ପଡ଼ିଛି । ତାଙ୍କର ବିକଳ୍ପ ଖୋଜିବାରେ ବ୍ୟସ୍ତ ରହିଛି ଭାରତୀୟ ଜନତା ପାର୍ଟି । ଏହାର ସୁଯୋଗକୁ ହାତ ଛଡ଼ା ନକରି ଚଳିତଥର ଉତ୍ତରପ୍ରଦେଶରେ ବାଜି ମାରିବା ଲକ୍ଷ୍ୟରେ ରହିଛି ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି । ବର୍ତ୍ତମାନ ଦେଖିବାର ବିଷୟ ଚଳିତଥର ଉତ୍ତରପ୍ରଦେଶରେ କିଏ ବାଜି ମାରୁଛି ।