
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟରମାନେ ନିଜ ପସନ୍ଦର ନେତାଙ୍କୁ ବାଛିବା ପାଇଁ ପୁଲିଂ ବୁଥ ନିକଟରେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୮.୨୪ ପ୍ରତିଶତ ଲୋକ ଭୋଟ୍ ଦେଇଥିବା ଜଣାପଡ଼ିଛି। ସେପଟେ ପଶ୍ଚିମ ଉତ୍ତରପ୍ରଦେଶରେ ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲୁ ରହିଛି। ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଭୋଟ ପ୍ରକ୍ରିୟା ଶେଷ ହେବ। ଆଜି ହେଉଥିବା ପ୍ରଥମ ପର୍ୟ୍ୟାୟ ମତଦାନରେ କିଛି ମନ୍ତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।
ଏହି ମନ୍ତ୍ରୀମାନେ ହେଉଛନ୍ତି ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ୍, ଅତୁଲ ଗାର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣ। ପ୍ରଥମ ପର୍ୟ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟ୍ ଗ୍ରହଣ ହେଉଛି। ଏହି ଅଞ୍ଚଳରୁ କୃଷକମାନେ ବ୍ୟାପକ ଭାବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ପ୍ରଥମ ପର୍ୟ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡ଼ରେ ଅଛନ୍ତି। ଏହି ପର୍ୟ୍ୟାୟରେ ୨.୨୭ କୋଟି ଭୋଟର ଭୋଟ୍ ଦେବାପାଇଁ ଯୋଗ୍ୟ।