ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ନିଜର ୧୫୯ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏପରିକି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏନେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଆମେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଧନ୍ୟବାଦ ଜଣାଉଛୁ । କାହିଁକିନା ଅଖିଳେଶ ଯାଦବ ତାଙ୍କ ଦଳର ଗୁଣ୍ଡା, ଦଙ୍ଗାକାରୀ, ଭ୍ରଷ୍ଟାଚାର କରୁଥିବା ଲୋକମାନଙ୍କର ତାଲିକା ଘୋଷଣା କରିଛନ୍ତି । ସମାଜବାଦୀ ପାର୍ଟିର ଅନେକ ପ୍ରାର୍ଥୀଙ୍କ ନାମରେ ଏକାଧିକ ମାମଲା ରହିଛି । ତେବେ ଅଖିଳେଶ ଯାଦବ ପ୍ରାର୍ଥୀ ଘୋଷଣା କରି କେବଳ ଟ୍ରେଲର ଦେଖାଇଛନ୍ତି ।
ପୁରା ପିକଚର ତ ଆଗକୁ ରହିଛି । ରାଜ୍ୟରେ ଡ଼ର, ଗୁଣ୍ଡାରାଜ ବଢ଼ାଇବା ପାଇଁ ସେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରି ଟ୍ରେଲର ଦେଖାଇଛନ୍ତି । ପରେ ତାଙ୍କ ଗୁଣ୍ଡାମାନେ ରାଜ୍ୟରେ ପୁରା ପିକଚର ଦେଖାଇବେ ବୋଲି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ ବାଳିକା ଦିବସରେ ସମାଜବାଦୀ ପାର୍ଟି ନିଜ ତାଲିକାରେ ବଳତ୍କାରୀ, ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ ଟିକେଟ ଦେଇ ଦଳ ସମାଜ ବିରୋଧୀ ଲୋକମାନଙ୍କର ଚେହେରା ସାମ୍ନାକୁ ଆଣିଛିି । ଗୁଣ୍ଡା, ଦଙ୍ଗାକାରୀ, ବଳତ୍କାରୀ, ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କ ତାଲିକା ପ୍ରକାଶ କରି ସମାଜବାଦୀ ପାର୍ଟି ନିଜ ରେକର୍ଡ ହିଁ ଭାଙ୍ଗିଦେଇଛି । ସେପଟେ ଅପରାଧୀଙ୍କୁ ଟିକେଟ ଦେବା ପାଇଁ ସମାଜବାଦୀ ପାର୍ଟି ବାଧ୍ୟ ଥିଲା ।
କାହିଁକିନା ଏହି ଗୁଣ୍ଡାମାନଙ୍କ ସାହାଯ୍ୟରେ ରାଜ୍ୟରେ ସମାଜବାଦୀ ପାର୍ଟି ଦଙ୍ଗାରାଜ, ଗୁଣ୍ଡାରାଜ, ଭ୍ରଷ୍ଟାଚାର ଯୋଜନା ପୂରଣ କରିପାରିବ । ୨୦୧୨ ମସିହାରେ ସମାଜବାଦୀ ପାର୍ଟି ରାଜ୍ୟରେ ଲୁଟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ନାହିଦ ହାସନ, ଅବଦୁଲ୍ଲା ଆଜମ, ଆଜାମ ଖାନ, ସୁଲତାନ ବାଗ, ମେହବୁବ ଅଲି, ଅସଲମ ଚୌଧରୀ, ଇରଫାନ ସୋଲାନକି ଭଳି ଲୋକମାନଙ୍କର ନାମ ସମସ୍ତଙ୍କର ମୁହଁରେ ରହିଛି । ଏହା ଛଡ଼ା ସମାଜବାଦୀ ପାର୍ଟି ତାଲିକାରେ ଏପରି କୁଖ୍ୟାତ ଚେହେରା ଅଛନ୍ତି ଯେଉଁମାନେ ଅପରାଧରେ ପାରଦର୍ଶିତା ଅର୍ଜନ କରିଛନ୍ତି ବୋଲି ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।