
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ଏକ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପିଲା ପାଇଖାନା ସଫା କରୁଥିବାର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ପିଲାମାନେ ଶୌଚାଳୟ ସଫା କରୁଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ଗାଳି ଦେଉଥିବାର ନଜର ଆସିଛନ୍ତି। ଛାତ୍ରଛାତ୍ରୀ ମାନେ ଏହି କାମ ନକଲେ ସେମାନଙ୍କୁ ଶୌଚାଳୟ ମଧ୍ୟରେ ତାଲା ପକାଇ ଦେବାକୁ ମଧ୍ୟ ବ୍ୟକ୍ତି ଜଣକ ଧମକ ଦେଉଛନ୍ତି।
ଏଭଳି ଭିଡ଼ିଓ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ବାଲିଆର ମୌଳିକ ଶିକ୍ଷା ଅଧିକାରୀ ମଣିରାମ ସିଂହ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏଭଳି ଏକ ଭିଡ଼ିଓ ଆମର ହସ୍ତଗତ ହୋଇଛି। ଏହି ଭିଡ଼ିଓଟି ଶୋହଭନ ଅଞ୍ଚଳର ପିପ୍ରା କାଲାର ପ୍ରାଥମିକ ବିଦ୍ୟାଳୟର ବୋଲି ଜଣା ପଡ଼ିଛି । ତେବେ ପିଲାଙ୍କୁ ଧମକ ଦେଉଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଏନେଇ ଶୋହଭନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଦାଖଲ ହେବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।