ବିଦାୟ ସମ୍ବର୍ଦ୍ଧନା ଅବସରରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ; “ମୋ ମନରେ କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନଥିଲା”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଅଗଷ୍ଟ ୧୦ ତାରିଖରେ କାର୍ଯ୍ୟକାଳ ଶେଷ ହେଉଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁଙ୍କୁ ସୋମବାର ସଂସଦର ମୌସୁମୀ ଅଧିବେଶନ ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବିଦାୟ ସମ୍ବର୍ଦ୍ଧନା ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନିଜ ଅଭିଭାଷଣ ରଖି କହିଛନ୍ତି ଯେ, ତାଙ୍କ ମନରେ କଦାପି ରାଷ୍ଟ୍ରପତି ହେବାର ଆକାଂକ୍ଷା ନଥିଲା। ସେଥିପାଇଁ ସେ ଅସନ୍ତୁଷ୍ଟ ମଧ୍ୟ ନୁହେଁ। ଅବସର ପରେ ମଧ୍ୟ ଜନସାଧାରଣଙ୍କ ସହ ସମ୍ପର୍କ ଜାରି ରଖିବେ ବୋଲି ବିଦାୟୀ ଉପରାଷ୍ଟ୍ରପତି ଭେଙ୍କାୟା କହିଛନ୍ତି। ତେବେ ନିଜ କର୍ଯ୍ୟକାଳ ସମୟରେ ଉଭୟ ଶାସକ ଓ ବିରୋଧୀ ସମସ୍ତଙ୍କ ସହଯୋଗ ପାଇଁ ଗୃହକୁ ଧନ୍ୟବାଦ୍ ଦେଇଛନ୍ତି ଭେଙ୍କୟା।

ସେପଟେ ଉପରାଷ୍ଟ୍ରପତିଙ୍କ ବିଦାୟ ଅବସରରେ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଭେଙ୍କାୟାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।ବିଦାୟୀ ରାଜ୍ୟ ସଭା ଅଧ୍ୟକ୍ଷ କିପରି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ଏବଂ ନିଜସ୍ବ ଭାଷାରେ କହିବା ପାଇଁ ଅନୁମତି ଦେଉଥିଲେ ତାହା ସଦସ୍ୟମାନେ ମନେ ପକାଇଥିଲେ।

ଅନ୍ୟପକ୍ଷରେ ଭେଙ୍କାୟାଙ୍କ ସମୟରେ ଉଚ୍ଚ ସଦନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥିଲା ଏବଂ ସେ ଆଲୋଚନାରେ ଭାଗ ନେବା ଲାଗି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ତାଙ୍କ ଉତ୍ତରାଧିକାରୀ ଏଭଳି ଧାରା ବଜାୟ ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ।ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନାଇଡୁଙ୍କ କାର୍ଯ୍ୟର ପ୍ରଶଂସା କରିଥିବାବେଳେ କେତେଜଣ ବିରୋଧୀ ସଦସ୍ୟ ତାଙ୍କୁ ଆତ୍ମଜୀବନୀ ଲେଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

Related Posts