କୁବେର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ଜଣେ କୁବେର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କ ହାତରେ ପଡ଼ିଲା ହାତକଡି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। କୁବେର ଜିଆର୍‌ଏସ୍‌ ବାବୁଲି ଚରଣ ପଢ଼ିହାରୀ । ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ମିଳିଛି ୫୯ଟି ପ୍ଲଟ୍‌। ପୁଣି ଏହି ସବୁ ପ୍ଲଟ୍ ରହିଛି ରାଜଧାନୀ ଭୁବନେଶ୍ୱର ଓ କଟକର ପ୍ରମୁଖ ଅଞ୍ଚଳରେ।

ସେ ଭୁବନେଶ୍ୱର ଉପକଣ୍ଠ ଇଞ୍ଜନା ପଞ୍ଚାୟତ (ପୂର୍ବରୁ ଥିଲା କଳାରାହାଙ୍ଗ ପଞ୍ଚାୟତ)ରେ ଜିଆର୍‌ଏସ୍‌ ଭାବେ ନିଯୁକ୍ତ ଅଛନ୍ତି। ତାଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଅନ୍ୟାନ୍ୟ ସଂପତ୍ତି ଭିତରେ ତାଙ୍କର ଏହି ୫୯ଟି ପ୍ଳଟ୍ ଥିବା କଥା ଜଣାପଡ଼ିଥିଲା। ତେବେ ସେ ତାଙ୍କର ସଂପତ୍ତି ଠୁଳ ନେଇ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କଥାକୁ ଖଣ୍ଡନ କରିଛନ୍ତି ବାବୁଲି ପଢ଼ିହାରୀ। ସେ କହିଛନ୍ତି, ମୋ ରୋଜଗାର ପୂରା ହ୍ୱାଇଟ। କିଛି ବେଆଇନ କାମ କରିନି। ମୋ ପୈତୃକ ଘର ବିକି ଦାଦା ଓ ପିଉସୀଙ୍କ ଅଂଶ କିଣିଛି।

ସୂଚନାଯୋଗ୍ୟ, ଗତକାଲି ବାବୁଲିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ଏକାଧିକ ଘର ଓ ଫ୍ଲାଟ୍ ଠାବ କରାଯାଇଥିଲା। ରଘୁନାଥପୁରରେ ତାଙ୍କର ଗୋଟିଏ ୩ ମହଲା କୋଠା ଥିବା ବେଳେ ଦାଢ଼ାରେ ଏକ ଘର ଅଛି। ରଘୁନାଥପୁରରେ ଥିବା ୩ ମହଲା କୋଠାର ଦାମ୍ ପାଖାପାଖି ୧.୨୪ କୋଟି ଟଙ୍କା। ସେହିପରି ଆଶୀର୍ବାଦ ପ୍ଲାଜାରେ ତାଙ୍କର ଗୋଟିଏ ଫ୍ଲାଟ ମଧ୍ୟ ରହିଛି। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

Related Posts