(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ (ସିଡିଭିଓ) ତ୍ରିଲୋଚନ ଧଳ। ସୂଚନା ମୁତାବକ ନୂଆପଡ଼ା ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି ।
ତ୍ରିଲୋଚନଙ୍କ କାର୍ଯ୍ୟାଳୟ ସମେତ ସରକାରୀ ଆବାସ ଏବଂ କଟକର ନରାଜସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ତେବେ ସିଡିଭିଓ ତ୍ରିଲୋଚନ ଧଳଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।
ସରକାରୀ ଗାଡ଼ିରେ ଯାଉଥିବା ବେଳେ ସିଡିଭିଓ ତ୍ରିଲୋଚନ ଧଳଙ୍କଠାରୁ ଏହି ଟଙ୍କା ଜବତ ହୋଇଥିଲା। ସୂଚନା ଅନୁସାରେ ସିଡିଭିଓ ଜବତ ହୋଇଥିବା ଟଙ୍କାର ହିସାବ ଦେଇପାରିନଥିଲେ। ଭିଜିଲାନ୍ସ ଚଢଉର ଅଧିକ ତଥ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଜଣାଯାଇଛି।
ରବିବାର ଭୋର ପ୍ରାୟ ୪ଟା ବେଳେ ସିଡିଭିଓ ତ୍ରିଲୋଚନ ଧଳ ସରକାରୀ ଗାଡ଼ିରେ ତାଙ୍କ ଗାଁ ଅଭିମୁଖେ ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଧରିଥିଲେ।
ଧଳଙ୍କ ସରକାରୀ ଗାଡ଼ି ଯାଞ୍ଚ ସମୟରେ ସେଥିରେ ଥିବା କଳା ରଙ୍ଗର ବ୍ୟାଗ୍ରୁ ୨ ଲକ୍ଷ ୭୭ ଟଙ୍କା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ସିଡିଭିଓ ଜବତ କରାଯାଇଥିବା ଟଙ୍କାର ହିସାବ ଦେଇ ପାରି ନଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ବାସଭବନରେ ଚଢ଼ାଉ କରାଯାଇଛି।