(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଜଣକ ପରେ ଜଣେ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଥିବାର ଦେଖିବା ପାଇଁ ମିଳୁଛି । ଇତିମଧ୍ୟରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ସିଡିପିଓଙ୍କ ଅଫିସରେ କାର୍ୟ୍ୟରତ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବାର ଖବର ସାମ୍ନାକୁ ଆସିଛି । ଏନେଇ ଭିଜିଲାନ୍ସର ତିନୋଟି ଟିମ ଚଢାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟ, ଭଦ୍ରକ ସହରର ଆରଡି ଛକ ସ୍ଥିତ ବାସଭବନ, ଆମ୍ବରୋଲୀ ସ୍ଥିତ ଗାଁରେ ଥିବା ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଏକକାଳୀନ ଚଢାଉ କରିଥିଲା ।
ଅପରିପକ୍ଷେ ବରପାଲି ବ୍ଲକ କୁମ୍ଭାରୀ ସମବାୟ ସମିତି ସମ୍ପାଦକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବାର ସୂଚନା ମିଳିଛି । ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସମ୍ପାଦକ ଗୌର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଚଢାଉ କରାଯାଇଛି । ଏହା ସହ କୁମ୍ଭାରୀସ୍ଥିତ ଅଫିସ ଓ ବାସଭବନରେ ଚଢାଉ ହୋଇଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବରଗଡ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଦୁଇଟି ଟିମ ଚଢାଉରେ ସାମିଲ ହୋଇଥିବାର ସୂଚନା ମିଳିଛି । ଅପରିପକ୍ଷେ ଭିଜିଲାନ୍ସ ଟିମ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିନାହିଁ ।