
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ବିଏମସି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ପୂର୍ବରୁ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ଉଚିତ ବୋଲି ଦଳ ପକ୍ଷରୁ ହାଇକମାଣ୍ଡଙ୍କୁ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅଭିନେତା ରିତିଶ ଦେଶମୁଖ, ମଡେଲ ମିଲିନ୍ଦ ସୋମାନ ଏବଂ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ହୃଦୟ ଜିତିଥିବା ଅଭିନେତା ସୋନୁ ସୁଦଙ୍କ ଭଳି ଲୋକପ୍ରିୟ ଚେହେରାକୁ ମେୟର ପଦ ପାଇଁ ବିବେଚନା କରିବାକୁ ରାଜ୍ୟ ନେତୃତ୍ୱ ପକ୍ଷରୁ ପରାମର୍ଶ ଦିଆଯାଇଛି।
ତେବେ ରାଜନୈତିକ ଦସ୍ତାବିଜରେ ଉଲ୍ଲେଖ ଥିବା ତିନିଜଣଙ୍କ ମଧ୍ୟରୁ କେହି ବି କଂଗ୍ରେସର ସଦସ୍ୟ ନୁହଁନ୍ତି। ୨୫ ପୃଷ୍ଠାର ଡକ୍ୟୁମେଣ୍ଟ ନଗର କଂଗ୍ରେସ ସଚିବ ଗଣେଶ ଯାଦବଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଦଳର ନେତାମାନଙ୍କୁ ଆନୁଷ୍ଠାନିକ ଭାବେ ଏହି ରିପୋର୍ଟ ଦିଆଯାଇ ନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ମହାରାଷ୍ଟ୍ରର ଦାୟିତ୍ୱରେ ଥିବା ଏଚ୍.କେ ପାଟିଲଙ୍କୁ ଏହି ଡକ୍ୟୁମେଣ୍ଟ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି।
ଯୁବ ପିଢି ଉପରେ କଂଗ୍ରେସର ଫୋକସ୍
ଏଚ୍.କେ ଯାଦବ କହିଛନ୍ତି ଯେ ମୁମ୍ବାଇ କଂଗ୍ରେସ ସଭାପତି ଭୋଇ ଜଗତାପ ଦଳର ବରିଷ୍ଠ ନେତାଙ୍କ ସହ ଡ୍ରାଫ୍ଟ ବିଷୟରେ ଆଲୋଚନା କରିବେ। ନିର୍ବାଚନ ପୂର୍ବରୁ ଦଳ ମେୟର ପ୍ରାର୍ଥୀ ଘୋଷଣା କରିବା ଉଚିତ ଏବଂ କୌଣସି ରାଜନୈତିକ ଚାପ ବିନା ଏହି ପଦବୀ ପାଇଁ ଏପରି ନାମ ବାଛିବା ଉଚିତ ବୋଲି ଏଥିରେ ମତ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଯୁବ ପିଢି ଉପରେ ଭଲ ପ୍ରଦର୍ଶନ କରୁଥିବା ପ୍ରାର୍ଥୀ ମଧ୍ୟ ବିଚାର କରାଯିବା ଉଚିତ୍। ଏହି ଡ୍ରାଫ୍ଟରେ ଯୁବକ, ସାମାଜିକ କର୍ମୀ ଏବଂ ଷ୍ଟାର୍ଟ ଅପ୍ ମାଲିକମାନଙ୍କୁ କିଛି ଟିକେଟ୍ ଦେବାକୁ ମଧ୍ୟ ଡଡ୍ରାଫ୍ଟରେ କୁହାଯାଇଛି। ଆଗାମୀ ନିର୍ବାଚନରେ ଶିବସେନା ସହ ମେଣ୍ଟ କରିବ କି ନାହିଁ ଦଳ ନିଜ ଆଭିମୁଖ୍ୟରେ ସ୍ପଷ୍ଟ କରିବା ଉଚିତ ବୋଲି ଡକ୍ୟୁମେଣ୍ଟରେ ଦର୍ଶାଯାଇଛି।
ଶିବସେନା ସହିତ ଗଠବନ୍ଧନ ଉପରେ ରଣନୀତି ସ୍ପଷ୍ଟ ହେବା ଉଚିତ୍
ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ଆମର ସ୍ଥିତି ସ୍ପଷ୍ଟ ନୁହେଁ ଏବଂ ଆମେ ଶିବସେନାର ବର୍ତ୍ତମାନର ବିଏମସି ସରକାରକୁ ବିରୋଧ କରୁନାହୁଁ, କାରଣ ଆମେ ସେମାନଙ୍କ ସହ ଏକ ମିଳିତ ସରକାର ଚଳାଉଛୁ। ଏହିପରି ପ୍ରସଙ୍ଗଗୁଡିକ ଉପରେ ଆମର ଆଭିମୁଖ୍ୟ ସ୍ପଷ୍ଟ ହେବା ଉଚିତ୍, ଯାହା ଦ୍ବାରା ଆମେ ଏହାକୁ ପ୍ରଭାବଶାଳୀ ଭାବରେ ଲୋକଙ୍କ ସହ ଯୋଗାଯୋଗ କରିପାରିବା। ବର୍ତ୍ତମାନ ଏହି ଦ୍ୱନ୍ଦ୍ୱ ଯୋଗୁଁ ବିଏମସି ହାଉସରେ କୌଣସି କଂଗ୍ରେସ ନେତା ନାହାନ୍ତି। ଏଥିରେ କୁହାଯାଇଛି ଯେ ଯଦି କଂଗ୍ରେସ ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନିଏ, ତେବେ ତୁରନ୍ତ ୧୪୭ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଆବଶ୍ୟକ ଯେଉଁଠାରେ କଂଗ୍ରେସର କାଉନସିଲର ନାହାଁନ୍ତି। ବିଶେଷକରି ଯେଉଁ କ୍ଷେତ୍ରରେ ବରିଷ୍ଠ ନେତାଙ୍କ ପ୍ରଭାବ ଅଧିକ ନୁହେଁ। ଏଥିରେ କୁହାଯାଇଛି ଯେ କଂଗ୍ରେସ ବଞ୍ଚିତ ବାହୁଜନ ଆଗଡି (ଭିବିଏ) ଏବଂ ଏଆଇଏମ୍ଆଇଏମ୍ ବିରୋଧରେ ଅଭିଯାନ ଆରମ୍ଭ କରିବା ଉଚିତ ଏବଂ ସେମାନଙ୍କୁ ବିଜେପିର ମୂଳ ଦଳ ଭାବରେ ପ୍ରୋଜେକ୍ଟ କରିବା ଉଚିତ୍।
ତେବେ ଏହି ପ୍ରସଙ୍ଗରେ ସୋନୁ ସୁଦ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ ଏହି ରିପୋର୍ଟଗୁଡିକରେ କୌଣସି ସତ୍ୟତା ନାହିଁ। ମୁଁ ଜଣେ ସାଧାରଣ ମଣିଷ ହୋଇ ଖୁସି ଅଛି।