ବୁର୍ଲା ବଡ ମେଡିକାଲ : ହାତ ଧୋଇବାକୁ ବି ମିଳୁନି ପାଣି, ସାହାରା ସାଜିଛି ସାଲାଇନ 

ସତ୍ୟପାଠ ବ୍ୟୁରୋ : ବୁର୍ଲା ବଡ ମେଡିକାଲରେ ଉକ୍ରଟ ଜଳସଙ୍କଟ । ମେଡିକାଲରେ ଅସ୍ତ୍ରୋପଚାର କରିବା ପରେ ଡାକ୍ତର ହାତ ଧୋଇବା ପାଇଁ ବି ମିଳୁନି ପାଣି । ଫଳରେ ଗଲା ୫ଦିନ ହେବ ମେଡିକାଲର ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅସ୍ତ୍ରୋପଚାର ଏକ ପ୍ରକାର ବନ୍ଦ ହୋଇଯାଇଛି ।

ଭିମସାରରେ ମିଳୁନି ପାଣି । କାଜୁଆଲିଟି ଟ୍ୟାପ ହେଉ କି ପ୍ରସୁତି ବିଭାଗ ବେସିନ । କେଉଁଠି ବି ଆସୁନି ପାଣି । ସବୁ ସୀମା ପାର କରିଗଲାଣି ସମସ୍ୟା । ଏବେ ଅସ୍ତ୍ରୋପଚାର ପରେ ଡାକ୍ତର ହାତ ଧୋଇବାକୁ ବି ପାଣି ମିଳୁନି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହାତ ଧୋଇବାକୁ ଡାକ୍ତର ଓ ନର୍ସମାନେ ସାଲାଇନକୁ ପାଣି ଭାବେ ବ୍ୟବହାର କରାଯାଉଛି । ଉକ୍ରଟ ଜଳ ସଙ୍କଟ ପାଇଁ ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅସ୍ତ୍ରୋପଚାର ଏକ ପ୍ରକାର ବନ୍ଦ ହୋଇଯାଇଛି । ତେଣୁ ରୋଗୀ ବାଧ୍ୟ ହୋଇ ନସିଂ ହୋମ ଯାଉଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ମେଡିକାଲକୁ ପ୍ରତିଦିନ ମିଳୁଥିବା ପିଏଚ୍ଇଡି ପାଣି ଦିନ ୧୨ଟା ଭିତରେ ଶେଷ ହୋଇଯାଉଛି । ବଳକା ସମୟରେ ପାଣି ବ୍ୟବହାର କରିବାକୁ ମେଡିକାଲ ପରିସରରେ ଏକ ବୋରୱେଲ ବସାଯାଇଛି । କିନ୍ତୁ ଗତ ୫ଦିନ ହେବ ତାହା ଅଚଳ ହୋଇ ପଡିଛି । ଫଳରେ ଏହି ଉକ୍ରଟ ସ୍ଥିତି ଦେଖାଦେଇଛି । ଯେଉଁଥିପାଇଁ ଦିନ ୧୨ଟା ପରଠାରୁ ଆଉ ଅସ୍ତ୍ରୋପଚାର ହୋଇପାରୁ ନାହିଁ । ତେବେ ଏନେଇ କୌଣସି ଅଭିଯୋଗ ହସ୍ତଗତ ହୋଇ ନଥିବା ମେଡିକାଲ ଅଧିକ୍ଷକ ଡା. ଜୟଶ୍ରୀ ଦୋରା କହିଛନ୍ତି ।

Related Posts