‘ଆମେ କଂଗ୍ରେସ ନୁହେଁ, ଆମକୁ କିଣିବା ସହଜ ମଧ୍ୟ ନୁହେଁ’: ବିଜେପିକୁ କେଜ୍ରିୱାଲଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଗତକାଲି ଗୋଆର ୮ କଂଗ୍ରେସ ବିଧାୟକ ଭାଜପାରେ ଯୋଗଦେବାକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ। ସେ କହିଛନ୍ତି ଯେ, ଦିଲ୍ଲୀ ପରେ ଏହି ଲୋକମାନେ (ଭାଜପା) ଆପର ବିଧାୟକଙ୍କୁ କିଣିବା ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି।ଏମାନଙ୍କ ପାଖରେ ହଜାର ହଜାର କୋଟି ଟଙ୍କା କେଉଁଠୁ ଆସୁଛି। ଏମାନେ ଗୋଟିଏ କଥା ବୁଝିଯାଆନ୍ତୁ ଯେ, ଆମେ କଂଗ୍ରେସ ନୁହେଁ, ଆମକୁ କିଣିବା ସହଜ ମଧ୍ୟ ନୁହେଁ। କେଜ୍‌ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଭାଜପା ଅନ୍ୟ ଦଳର ବିଧାୟକଙ୍କୁ କିଣିବା ଲାଗି ସବୁବେଳେ ଚେଷ୍ଟା କରି ଆସୁଛି । ପଞ୍ଜାବରେ ମଧ୍ୟ ଆପର ୧୦ ଜଣ ବିଧାୟକଙ୍କୁ ଯୋଗାଯୋଗ କରି ନିଜ ଦଳକୁ ନେବା ପାଇଁ ଭାଜପା ପ୍ରୟାସ କରିଥିଲା। ଦିଲ୍ଲୀରେ ମଧ୍ୟ ସମାନ ଚେଷ୍ଟା କରି ଭାଜପା ବିଫଳ ହୋଇଥିଲା।

ସୂଚନାଯୋଗ୍ୟ, ବୁଧବାର ଗୋଆରେ ବଡ଼ ରାଜନୈତିକ ଓଲଟପାଲଟ ଦେଖିବାକୁ ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ କଂଗ୍ରେସ ଛାଡି ଭାଜପାରେ ଯୋଗଦେଇଥିଲେ। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ବିଧାୟକ ଥିଲେ। ସେଥିମଧ୍ୟରୁ ୮ ଜଣ ଭାଜପରେ ଯୋଗ ଦେବା ପରେ ଏବେ କଂଗ୍ରେସରେ ମାତ୍ର ୩ଜଣ ବିଧାୟକ ଅଛନ୍ତି।

Related Posts