ପୁଣି ଏକାଠି ହେବେ କି ନୀତିଶ ଓ ପ୍ରଶାନ୍ତ ? ଦୁଇ ନେତାଙ୍କ ରୁଦ୍ଧଦ୍ୱାର ବୈଠକକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଏକାଠି ହେବେ କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ? ବିଗତ କିଛି ଦିନର ଆରୋପ ପ୍ରତ୍ୟାରୋପ ପରେ ଏହି ଦୁଇ ନେତା ଗୋଟିଏ ବନ୍ଦ କୋଠରୀରେ ବୈଠକ କରିଛନ୍ତି। ଏହାପରେ ରାଜନୈତିକ ମହଲରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ନୀତୀଶ କୁମାର ସବୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏସବୁ ଭିତରେ ସେ ପିକେଙ୍କୁ ଭେଟିଥିବାରୁ ୨୦୨୪ରେ ଏମାନଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇପାରେ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ନୀତୀଶ କୁମାର ଓ ପ୍ରଶାନ୍ତ କିଶୋର ଦୀର୍ଘ ୪୫ ମିନିଟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ସମ୍ପର୍କରେ ଏମାନେ ଆଲୋଚନା କରିଥିବା କୁହାଯାଉଛି। ତେବେ ଏକଦା ପିକେ ଜେଡିୟୁରେ ନୀତୀଶ କୁମାରଙ୍କ ପରେ ଦ୍ଵିତୀୟ ସର୍ବମାନ୍ୟ ନେତା ଥିଲେ। ହେଲେ ଦୁଇ ବର୍ଷ ହେବ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏପରି କି ଉଭୟ ପରସ୍ପରକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନଥିଲେ। କିନ୍ତୁ ସମୟ ବଦଳିବା ସହ ଉଭୟଙ୍କ ଆଭିମୁଖ୍ୟ ମଧ୍ୟ ବଦଳିଛି। ଦୁଇ ନେତା ପରସ୍ପର ସହ ବୈଠକ କରିଛନ୍ତି। ନୀତୀଶ କୁମାର ଓ ପିକେଙ୍କୁ ଏକାଠି କରିବାର ବ୍ୟବସ୍ଥା ପବନ ବର୍ମା କରିଛନ୍ତି ବୋଲି କୁହାଯାଉଛି। ପବନ ବର୍ମା ହେଉଛନ୍ତି ନୀତୀଶଙ୍କ ଜେଡିୟୁର ପୂର୍ବତନ ନେତା। ଦୁଇ ବର୍ଷ ତଳେ ପବନ ଓ ପିକେଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁରୁ ବିଦା କରାଯାଇଥିଲା। ଏବେ ସେ ହିଁ ପିକେ ଓ ନୀତୀଶ କୁମାରଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବୁଧବାର ବୈଠକରେ ପବନ ବର୍ମା ମଧ୍ୟ ଉପସ୍ଥିତ ଥିଲେ।

ନୀତୀଶ କୁମାର ଏହି ବୈଠକ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି। ପିକେଙ୍କ ସହ ତାଙ୍କର କିଛି ସାଧାରଣ କଥାବାର୍ତ୍ତା ହୋଇଥିବା ସେ କହିଛନ୍ତି। ନୀତୀଶ କୁମାର ବୈଠକ ପରେ କହିଛନ୍ତି, “ଆମେ ଦେଖାହେଲୁ। ତାଙ୍କୁ ଏ ବିଷୟରେ ପଚରା ଯାଉ। ଆମେ କୌଣସି ସ୍ୱତନ୍ତ୍ର ବିଷୟରେ କଥା ହୋଇନାହୁଁ। ଏହା ଏକ ସାଧାରଣ ଭେଟଘାଟ। ଆପଣମାନେ କୌଣସି ପ୍ରକାରର ଆକଳନ କରନ୍ତୁ ନାହିଁ। ସାକ୍ଷାତ କରିବାରେ ଖରାପ କ’ଣ? ବୋଲି ସେ ପ୍ରଶ୍ନ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପିକେଙ୍କୁ ସବୁ କିଛି ପଚାରିବାକୁ ମଧ୍ୟ କହିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଶ୍ନରେ ନୀତୀଶ କୁମାର କହିଛନ୍ତି, “ମୁଁ ପିକେଙ୍କ ଉପରେ ଆଦୌ ଅସନ୍ତୁଷ୍ଟ ନୁହେଁ।”

Related Posts