ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ରାଜନୀତିରେ ପାଦ ଥାପିବା ନେଇ ଗ୍ରୀନ ସିଗ୍ନାଲ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ସେ ନିର୍ବାଚନୀ ମଇଦାନ କୁ ଓହ୍ଲାଇବା ନେଇ ଇଚ୍ଛା ପ୍ରକାଶ କରିଥିବା ବେଳେ, ଯଦି ବିଜେପି ଚାହିଁବ ତେବେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ।
ସେପଟେ ଅଭିନେତ୍ରୀଙ୍କ ଏହି ବୟାନ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରତିକ୍ରିୟା ରଖିଛନ୍ତି । ସେ କଙ୍ଗନା ରଣାୱତଙ୍କୁ ସ୍ୱାଗତ କରିଛନ୍ତି। ଏହାସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଯଦି ସେ ସାମିଲ ହୁଅନ୍ତି, ତେବେ ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବା ତାହା ପାର୍ଟି ସ୍ଥିର କରିବ ।
କଙ୍ଗନା ରଣାୱତଙ୍କୁ ନେଇ କରାଯାଇଥିବା ଏକ ପ୍ରଶ୍ନ ଜେପି ନଡ୍ଡା କହିଛନ୍ତି,’ସମସ୍ତେ ଆସନ୍ତୁ ବୋଲି ଆମେ ଚାହୁଁଛୁ, କାରଣ ପିଏମ ମୋଦୀ ଆମ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ । ପିଏମ ମୋଦୀଙ୍କ ଠାରୁ ପ୍ରଭାବିତ ହୋଇ ଦେଶର ଭଲ ବାତାବରଣ ସୃଷ୍ଟି ହେଉଛି । ଏଥିରେ ସେ ମଧ୍ୟ ସାମିଲ ହେବାକୁ ଚାହୁଁଥିଲେ, ତାଙ୍କୁ ସ୍ୱାଗତ’। ନିର୍ବାଚନ ଲଢିବା ପ୍ରଶ୍ନ ଉପରେ ନଡ୍ଡା କହିଛନ୍ତି, ‘ଟିକେଟ୍ ଦେବା କେବଳ ମୋର ନିଷ୍ପତ୍ତି ନଥାଏ । ତୃଣମୂଳ ସ୍ତରରୁ ଶୀର୍ଷ ସ୍ତର ଯାଏଁ ବିଚାର-ବିମର୍ଶ କରାଯାଏ ଏବଂ ପୁଣି ପାର୍ଟିଆମେଣ୍ଟାରୀ ବୋର୍ଡ ଯାଏ ଚାଲିଥାଏ’।
କଙ୍ଗନା କହିଛନ୍ତି ସେ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି । ଏକ ଟିଭି କାର୍ଯ୍ୟକ୍ରମରେ କଙ୍ଗନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାହୁଲ ଗାନ୍ଧୀଙ୍କ କୌଣସି ମୁକିବାଲ ନାହିଁ । ଏହାସହ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରି କଙ୍ଗନା କହିଛନ୍ତି, ହିମାଚଳବାସୀ ମାଗଣା ବିଜୁଳି ଚାହୁଁନାହାନ୍ତି
