ଗୁଜୁରାଟରେ ସରକାରକୁ ଆସିଲେ ‘ସ୍ୱିସ୍ ବ୍ୟାଙ୍କ’ରେ ଥିବା କଳାଧନ ଫେରାଇ ଆଣିବୁ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ କଳଧନକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ଶାସନ ସମୟରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଜଣାଶୁଣା ‘ସ୍ୱିସ୍ ବ୍ୟାଙ୍କ’ରେ ନିଜର କଳାଟଙ୍କା ସବୁ ଜମା ରଖିଛନ୍ତି। ଗୁଜୁରାଟରେ କ୍ଷମତାକୁ ଆସିବା ପରେ ଆମ ଆଦମୀ ପାର୍ଟି ଏହି କଳା ଟଙ୍କାକୁ ଫେରାଇ ଆଣିବ ବୋଲି ସେ ଘୋଷଣା କରିଛନ୍ତି।

ଏହି ଗସ୍ତ ଅବସରରେ କେଜ୍ରିୱାଲ ଆହୁରି ମଧ୍ୟ ବହୁ ଘୋଷଣା କରିଛନ୍ତି। ଗୁଜୁରାଟର ଦିଲ୍ଲୀ ଭଳି ୨୦,୦୦୦ ମୋହଲା କ୍ଲିନିକ୍ ଓ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ସରକାରୀ ବିଦ୍ୟାଳୟ ନିର୍ମାଣ କରିବାକୁ କେଜ୍ରିୱାଲ ପ୍ରତିଶୃତି ଦେଇଛନ୍ତି। ଏହା ବ୍ୟତୀତ ସେ ସମସ୍ତଙ୍କ ପାଇଁ “ମାଗଣା ଏବଂ ଅସୀମିତ” ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଏହାସହିତ କେଜ୍ରିୱାଲ ଗୁଜୁରାଟର ସମସ୍ତ ବାସିନ୍ଦାଙ୍କୁ ଆର୍ଥିକ ସ୍ଥିତି ନିର୍ବିଶେଷରେ ଔଷଧ, ମେଡିକାଲ ଚେକ୍ ଅପ୍ ଓ ସର୍ଜରୀ ସମେତ ମାଗଣା ଓ ଅସୀମିତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି।

ସଚନାଯୋଗ୍ୟ ଯେ, ଚଳିତ ବର୍ଷ ଡିସେମ୍ବର ମାସରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଆମ ଆଦମୀ ପାର୍ଟି ଏଠାରେ ସରକାର ଗଠନ ପାଇଁ ଜୋରଦାର କସରତ ଆରମ୍ଭ କରି ଦେଇଛି। ଏଥିପାଇଁ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲଗାତାର ଗୁଜୁରାଟ ଗସ୍ତ କରି ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଉଛନ୍ତି।

Related Posts