‘ଆମେ ଓଡ଼ିଶାକୁ ବିଜେଡ଼ିମୟ କରିଦେବୁ’; ଜୟନାରାୟଣଙ୍କ ମନ୍ତବ୍ୟର ଜବାବ ଦେଲେ ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ସାଧାରଣ ନିର୍ବାଚନ ୨୦୨୪ରେ ଥିବାବେଳେ ରାଜ୍ୟରେ ଏହାର ଉଷ୍ମତା ଆଜିଠାରୁ ଅନୁଭୂତ ହେଲାଣି। ବିଜେପି ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିବା ପରେ ଏବେ ରାଜ୍ୟରେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛି ବିଜେପି ଶିବିର। ଦଳ ପକ୍ଷରୁ ଏବେ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ତେବେ ବିଜେପି ପକ୍ଷରୁ କରାଯାଉଥିବା ସମାଲୋଚନାର ବିଜେଡି ପକ୍ଷରୁ ମଧ୍ୟ କଡା ଜବାବ ଦିଆଯାଉଛି। ଏହି କ୍ରମରେ ଆଜି ମଧ୍ୟ ବିଜେପି-ବିଜେଡି ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି। ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ଆହ୍ୱାନ ଦେବାସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡ଼ିଶା ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ୍ ତିଆରି କରିବ ଓ ଜନସାଧାରଣ ଏହାର ବିଚାର କରିବେ ବୋଲି ଜୟନାରାୟଣ କହିଛନ୍ତି।

ଅନ୍ୟପଟେ ଜୟନାରାୟଣ ବିଜେଡି ମୁକ୍ତ ଓଡ଼ିଶା ମନ୍ତବ୍ୟର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଓଡ଼ିଶାକୁ ଆମେ ବିଜେଡ଼ିମୟ କରିଦେବୁ । ବିଜୁ ଜନତା ଦଳର ପ୍ରଶିକ୍ଷଣ ଦଳୀୟ ରାଜନୀତିରେ ଏକ ଉଦାହରଣ ସୃଷ୍ଟି କରିଛି । ସମସ୍ତ ଛାମୁଆ ସଙ୍ଗଠନ ଓ ଜନପ୍ରତିନିଧି ଏଠାକୁ ଆସିଥିଲେ ପ୍ରଶିକ୍ଷଣ ନେଲେ । ଦଳ ପାଇଁ ଏହା ବହୁତ ଉପାଦେୟ ହେବ । ଜନ ସଂପର୍କ ପଦଯାତ୍ରା ସମୟରେ କିପରି ଶାଣିତ ଭାବେ ଲୋକଙ୍କ ପାଖରେ ପ୍ରଶାସନ ଓ ଦଳର ବାର୍ତ୍ତା ପହଞ୍ଚିବ ସେ ନେଇ କର୍ମୀ ମାନଙ୍କୁ ମନ୍ତ୍ର ଦିଆଯାଇଛି । ବିଜେପି କେବଳ ନିଜ ଦଳର କଥା କହୁଥିବା ବେଳେ ବିଜେଡି ଲୋକଙ୍କ ପାଇଁ କଣ କରୁଛି ସେ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ପ୍ରଶାନ୍ତ କହିଛନ୍ତି ।

Related Posts